ଓଲିଉଡ୍‌ର ବିଗ୍‌ ମ୍ୟାନ୍‌ ବିଜୟଙ୍କୁ ଶେଷ ବିଦାୟ

ଭୁବନେଶ୍ୱର: ଶତାଧିକ ଫିଲ୍ମ, ଶତାଧିକ ଛାତ୍ରଛାତ୍ରୀ, ଶହ ଶହ ଅବିସ୍ମରଣୀୟ ସଂଳାପ ଓ ଚରିତ୍ର। ଏ ସବୁକୁ ପଛରେ ଛାଡ଼ି, ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି ବିଜୟ ମହାନ୍ତି। ଓଲିଉଡ୍‌ର ଯୁଗପୁରୁଷଙ୍କୁ ଅନ୍ତିମ ସମ୍ମାନ ଜଣାଇଛି ଓଡ଼ିଶା। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ସିନେପ୍ରେମୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ, ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ବର୍ଷିୟାନ ବିଜୟଙ୍କ ମରଶରୀର।

ଆଉ ସେ ଚିହ୍ନା ମୁହଁଟି ପରଦାରେ ହସିବନି, କାନ୍ଦିବନି, କି କଥା କଥାକେ ଅତି ପରିଚିତ ସଂଳାପ ନାଇ ମଁ  ଶୁଭିବନି। ୨ ମାସ ତଳେ ହଠାତ୍ ତାଙ୍କ ହୃଦ୍‌ଘାତ ଖବର, ହୃଦ୍‌ସ୍ପନ୍ଦନ ବନ୍ଦ କରିଦେଇଥିଲା ଅସଂଖ୍ୟ ବିଜୟ ପ୍ରେମୀଙ୍କର। ହେଲେ ଆଶା ଜାଗିଥିଲା, ଯେତେବେଳେ ସେ ଗତ ମାସରେ ହାଇଦ୍ରାବାଦରୁ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶା ଫେରିଥିଲେ।

ହେଲେ ଗତକାଲି ସେ ଆଶା ଚିରଦିନ ଲାଗି ମଉଳିଗଲା। ରାତି ପ୍ରାୟ ୯ଟା ୧୫ ମିନିଟ୍ ବେଳକୁ ଖବର ଆସିଲା ଆଉ ଇହଧାମରେ ନାହାନ୍ତି ବିଜୟ। ଖବର ଶୁଣି, ଖାଲି ତାଙ୍କ ପ୍ରଶଂସକ, ସହକର୍ମୀ କି ରାଜନେତା ନୁହନ୍ତି, ବିଜୟ ମହାନ୍ତିଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ପାଣ୍ଡିରୀ ଏବଂ ଯୁବାବସ୍ଥା କଟିଥିବା ବାରିପଦାରେ ବି ଖେଳିଯାଇଥିଲା ଶୋକର ଛାୟା।

ବିଶ୍ୱାସ କରିବା କଷ୍ଟ ଥିଲା ଯେ ଚଳଚ୍ଚିତ୍ର ଜଗତରେ ଏତେ ଶୀଘ୍ର ଏକ ଯୁଗର ଅବସାନ ହେବ। ଶୋକାକୂଳ ପରିବେଶ ଭିତରେ ଆଜି ସକାଳୁ, ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ବମିଖାଲ ସ୍ଥିତ ବାସଭବନକୁ ନିଆଯାଇଥିଲା। ଅନ୍ତିମ ଶ୍ରଦ୍ଧାସୁମନ ଅର୍ପଣ ବେଳେ କୋହ ସମ୍ବରଣ କରିପାରିନଥିଲେ, ପତ୍ନୀ ତନ୍ଦ୍ରା, ଝିଅ ଜାସ୍ମିନ, ଅନ୍ୟ ସାଥୀ ସଂପର୍କୀୟ ଓ ପରିବାରବର୍ଗ।

ସେଠାରୁ ବିଜୟଙ୍କ ଦ୍ୱିତୀୟ କର୍ମଭୂମି ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ତାଙ୍କ ପାର୍ଥିବ ଶରୀର  ସେଠାରେ ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ନମ୍ରତା ଦାସ, ଉତ୍ତମ ମହାନ୍ତି, ଅଶ୍ରୁମୋଚନ, ସିଦ୍ଧାନ୍ତ, ସବ୍ୟସାଚୀ ଓ ଅନୁ ଚୌଧୁରୀଙ୍କ ସମେତ ବହୁ ଓଲିଉଡ୍ କଳାକାର ଏବଂ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ ବର୍ଷିଆନ୍ ଅଭିନେତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଥିଲା ଗାର୍ଡ ଅଫ୍ ଅନର।

ଆସି ସାରିଥିଲା ସେଇ ଅନ୍ତିମ ପର୍ବ। ସତ୍ୟନଗର ସ୍ଥିତ ଶ୍ମଶାନରେ ଜ୍ୱାଇଁ ମୁଖାଗ୍ନି ଦେଇ ସଂପନ୍ନ କରିଥିଲେ ଶେଷକୃତ୍ୟ। ଆଉ ଓଡ଼ିଆ ସିନେ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖି, ପଞ୍ଚ ଭୂତରେ ବିଲୀନ ହୋଇଥିଲା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର।

You might also like