ଓଲିଉଡ ଅଭିନେତାଙ୍କ ମହାନତା : ଇଚ୍ଛା ପୂରଣ କରିବାକୁ ଯାଇ କୁନି ପ୍ରଶଂସକଙ୍କୁ ମେଡିକାଲରେ ଭେଟିଲେ ବାବୁସାନ୍

ଢ଼େଙ୍କାନାଳ: ମହାନତା ଦେଖାଇଲେ ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି। ସିନେ ପରଦାରେ ହଜାର ହଜାର ଲୋକଙ୍କ ମନ ଜିଣିଥିବା ଅଭିନେତା ରିୟଲ୍ ଲାଇଫରେ ବି ଆଜି ସମସ୍ତଙ୍କ ମନ ଜିଣି ନେଇଛନ୍ତି। ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଅଚାନକ ପହଞ୍ଚି ଯାଇଥିଲେ ବଡ଼ ମେଡିକାଲରେ। ଆଉ ମେଡିକାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପ୍ରଶଂସକଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାବୁସାନଙ୍କର କୁନି ଫ୍ୟାନ୍ ଜଣକ ହେଲେ ଢ଼େଙ୍କାନାଳର କାମାକ୍ଷାନଗର ଅଞ୍ଚଳର ୧୪ ବର୍ଷୀୟ ଚିଣ୍ଟୁ। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଗୁରୁତର ଆହତ ହୋଇଥିଲେ। ଦୁଇ ଗୋଡ଼ ଦୁଇ ହାତରେ କରେଣ୍ଟ ଲାଗି ଜଳି ଯାଇଥିଲା। ପ୍ରଥମେ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରି ନିରାଶ ହେବା ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି  କରିଥିଲେ ପରିବାର ଲୋକେ। ବର୍ତ୍ତମାନ ତାଙ୍କର ଦୁଇଟି ଯାକ ହାତ ଓ ଗୋଟିଏ ଗୋଡ଼ କାଟିବାକୁ ପଡ଼ିଛି।

ସେପଟେ ନିଜର ପ୍ରିୟ ହିରୋକୁ ରୋଗଶଯ୍ୟା ନିକଟରେ ଦେଖି  ଚକିତ ହେବା ସହ ଆନନ୍ଦିତ ହୋଇଯାଇଥିଲା ଚିଣ୍ଟୁ। ନିଜର ପ୍ରିୟ ହିରୋକୁ ପାଖରେ ପାଇଥିବା ଚିଣ୍ଟୁର ଖୁସି ତାର ମୁହଁରୁ ସ୍ପଷ୍ଟ ବାରି ହେଇ ପଡୁଥିଲା। ହସ୍ପିଟାଲ ବେଡ଼ରେ ବାବୁସାନ୍ ସହ ସେଲଫି ନେଇଛି ଚିଣ୍ଟୁ। ତେବେ କୁନି ଫ୍ୟାନକୁ ଦେଖା କରିବା ସହ  ତାର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବାବୁସାନ୍।

You might also like