ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାରେ CBI ତଦନ୍ତ ଦାବି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଦଳିତ ନେତା ତଥା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାର CBI ତଦନ୍ତ ଦାବି ହୋଇଛି।

ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡରେ ମହାକାଳପଡ଼ା ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି ସହ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ। ଏପରିକି ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି।

ଆସନ୍ତା ୬ ତାରିଖରୁ ୧୨ ତାରିଖ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ ଏବଂ ୧୪ ତାରିଖରେ ନବୀନ ନିବାସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଓଡିଶା ସୂଚନା ଅଧିକାରୀ ଅଭିଯାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷେ, ରଞ୍ଜନ ଦାସ ହତ୍ୟା ଘଟଣାରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ପ୍ରତାପ ମହାନ୍ତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଗତକାଲି କଟକ କଲେଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ବିଧାୟକ ଅତନୁଙ୍କୁ ଦଳରୁ ବହିଷ୍କାର ଏବଂ ଗିରଫ କରିବାକୁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନର କଟକ ଜିଲ୍ଲା ଶାଖା। ଏହି ଅବସରରେ ଆନ୍ଦୋଳନକାରୀ, ବିଧାୟକ ଅତନୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତେବେ ଏନେଇ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଥାଉ କି, ଗତ ଜାନୁଆରୀ ୩୧ ତାରିଖରେ ରଞ୍ଜନ ଦାସଙ୍କ ମୃତଦେହ ମାର୍ଶାଘାଇ ଥାନା ବରୁହାଁରୁ ଉଦ୍ଧାର କରାଯାଇଥିଲା।

You might also like