ବୈଜୟନ୍ତଙ୍କ ଉପରେ ତରବରିଆ କାର୍ଯ୍ୟାନୁଷ୍ଠାନ କାହିଁକି ?

ଭୁବନେଶ୍ୱର: ସି ପ୍ଲେନ୍ ନା ହେଲିକପ୍ଟର ? ଚିଲିକା ଉପରେ କିଏ ଉଡ଼ିଥିଲା ବା ଓହ୍ଲାଇଥିଲା, ଏପର୍ଯ୍ୟନ୍ତ ତା’ର ତଦନ୍ତ ହୋଇନି। କିନ୍ତୁ ପ୍ରଶାସନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା କରି ତରବରିଆ ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ତାଙ୍କ ହାଙ୍ଗରକୁ ସିଜ୍‌ କରିଛି।

ଅନ୍ୟପଟେ ଚିଲିକା ଉପରେ ହେଲିକପ୍ଟର୍‌ ଉଡ଼ିବା ଲାଗି କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଡିଏ କର୍ତ୍ତୃପକ୍ଷ ସୁଶାନ୍ତ ନନ୍ଦ କହିଛନ୍ତି। ସେହିପରି ହେଲିକପ୍ଟର୍‌ ଉଡ଼ାଇବା ଦ୍ୱାରା ଜୈବ ବିବିଧତା ନଷ୍ଟ ହୁଏ ନାହିଁ ବୋଲି ଖୋଦ୍‌ ଜଙ୍ଗଲମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ତେଣୁ ଏହି ଘଟଣାରୁ ରାଜ୍ୟ ସରକାରଙ୍କ ଅସହିଷ୍ଣୁତା ସ୍ପଷ୍ଟ ଜଣାପଡ଼ୁଛି।

ସିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଗଣମାଧ୍ୟମରେ ପ୍ରକାଶିତ ଖବର, ସ୍ଥାନୀୟ ଲୋକଙ୍କ ମତ ଓ ସନ୍ଦେହ ଆଧାରରେ ଏହି ଅଭିଯୋଗ କରାଯାଇଛି। ତେବେ ସମ୍ବାଦପତ୍ରରେ ସି ପ୍ଲେନ୍ କଥା ଉଲ୍ଲେଖ ଥିବା ବେଳେ ହଠାତ୍ ବୈଜୟନ୍ତଙ୍କ ହେଲିକପ୍ଟର୍‌ କେଉଁଠୁ ଆସିଲା ତାହା ବି ସନ୍ଦେହ ସୃଷ୍ଟି କରିଛି।cda2

ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବେଆଇନ୍‌ ଭାବେ ଉଡ଼ିଥିଲା। କିନ୍ତୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦିନ ଗୋଟାଏ ୨୬ରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ବିମାନବନ୍ଦରରେ ଅବତରଣ କରିସାରିଥିଲା। ଏହି ଦୁଇଟିରେ ତଥ୍ୟରେ କୌଣସି ତାଳମେଳ ନାହିଁ।

ଅନ୍ୟପଟେ ସେଦିନ ବୈଜୟନ୍ତ କେନ୍ଦ୍ରାପଡ଼ାରେ ଥିଲେ ଓ ଗୋଟିଏ ଦିନରେ ସେ କେମିତି ଦୁଇଟି ସ୍ଥାନରେ ରହିପାରିବେ ବୋଲି ଟୁଇଟ୍ କରି ପ୍ରଶ୍ନ କରିଛନ୍ତି।

ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ସାଂସଦ ପିନାକୀ ମିଶ୍ର, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରମୁଖ ଚିଲିକା ଉପରେ ଅନେକ ଥର ବିମାନ ଉଡ଼ାଣ କରିଛନ୍ତି। ସେହିପରି ଚିଲିକା ଉପରେ ନିୟମିତ ହେଲିକପ୍ଟର୍‌ ଉଡ଼ୁଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ଉଡ଼ାଣ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଚିଲିକା ଉପରେ ଏ ବିଷୟରେ ଅନୁଧ୍ୟାନ ହେବ ବୋଲି ସିଡିଏ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ  ତାହା କେତେ କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପଟେ ଦାମଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରେ ବୈଜୟନ୍ତ ତାଙ୍କୁ ଭେଟିବା ସହ ନୈତିକ ସମର୍ଥନ ମଧ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଚର୍ଚ୍ଚା ହେଉଛି। ସେହିପରି ଦାମ ଉଠାଇ ଥିବା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ସରକାର ଘାଇଲା ହେବା ପରେ ଏଥିରୁ ନଜର ହଟାଇବାକୁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

 

You might also like