ସାଢ଼େ ୪ଟାରେ ACS ଏବଂ ସାଢ଼େ ୬ଟାରେ ପ୍ରେସମିଟ୍‌ କରିବେ ମୁଖ୍ୟ ଶାସନ ସଚିବ

ବଢିବ କି ଲକଡାଉନ୍‌?

ଭୁବନେଶ୍ୱର: ଅପରାହ୍ନରେ କହିବେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ। ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଆଜି ଅପରାହ୍ନ ୪ଟା ୩୦ରେ କହିବେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର। ସେପଟେ,  ଆଜି ସଂଧ୍ୟାରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସଂଧ୍ୟା ସାଢ଼େ ୬ଟାରେ ସେ ପ୍ରେସବାର୍ତ୍ତା ଦେବେ ମୁଖ୍ୟ ଶାସନ ସଚିବ। କରୋନା ଓ ଲକଡାଉନ୍‌ ସଂପର୍କରେ ରାଜ୍ୟ ସରକାରଙ୍କ କିଛି ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚଳିତ ପର୍ଯ୍ୟାୟରେ ଲକଡାଉନ୍‌ କଟକଣା ଆସନ୍ତାକାଲି ସରୁଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତିରେ ସେମିତି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ।

ତେଣୁ ଚର୍ଚ୍ଚା ହେଉଛି ରାଜ୍ୟ ସରକାର ଲକଡାଉନ୍‌ ଅବଧି ବଢ଼ାଇ ପାରନ୍ତି। ବାତ୍ୟା ଓ ବର୍ଷା ଯୋଗୁଁ କିଛି ଜିଲ୍ଲାରେ ଟେଷ୍ଟିଂ ହୋଇନଥିଲା। ଟେଷ୍ଟିଂ କମିବା ସହିତ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇଥିଲା କିନ୍ତୁ ପୁଣି ଟେଷ୍ଟିଂ ବଢ଼ିବା ସହିତ ପଜିଟିଭ ସଂଖ୍ୟା ବଢ଼ୁଛି। ତେଣୁ କଟକଣା ବୃଦ୍ଧି ହେବାର ସମ୍ଭାବନା ରହିଛି। ଯାହା ଆଶା କରାଯାଉଛି, ଆଜି ସଂଧ୍ୟାରେ ଏ ସଂପର୍କରେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି।

ତେବେ ଆଜି ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜିର ମୃତ୍ୟୁ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୭୧୯କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, କଳହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜିଲ୍ଲାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି। ସେହିପରି କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ଏବଂ ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ୨୪ ଘଣ୍ଟାରେ ୯ ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୯,୫୪୧ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୩୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪,୧୯୮ ରହିଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ ୧୩୪୨ ପଜିଟିଭ ଚିହ୍ନଟ ହୋ‍ଇଥିବା ବେଳେ କଟକରୁ ୭୧୬ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୬୨, ବାଲେଶ୍ୱରରୁ ୩୦୨, ବରଗଡ଼ରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୧୭୭, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଞ୍ଜାମରୁ ୧୫୦, ଯାଜପୁରରୁ ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୨୯୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, ମାଲକାନଗିରିରୁ ୧୨୩, ମୟୂରଭଂଜରୁ ୬୯୫, ନବରଙ୍ଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡ଼ାରୁ ୫୦, ପୁରୀରୁ ୫୨୮, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୫୯୫, ଷ୍ଟେଟପୁଲରୁ ୨୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍ ୯୫ ହଜାର ୨୬୬ ରହିଥିବା ବେଳେ ସୁସ୍ଥ ହେଲେଣି ୬,୫୮,୬୪୬ ଜଣ। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪କୁ ବୃଦ୍ଧି ପାଇଛି।

You might also like