ବିଶେଷଜ୍ଞଙ୍କ ମତ, ଆତ୍ମଗୋପନ କରିଥାଇପାରନ୍ତି ସୁପରସ୍ପ୍ରେଡର!

ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ କରୋନା ଚିନ୍ତା। ସାଂଘାତିକ ସ୍ଥିତିରେ ପହଞ୍ଚିଛି କୋଭିଡ୍-୧୯ ସଂକ୍ରମଣ ହାର। ଚୀନ୍ ପରେ ପରେ ଆମେରିକା, ଇଟାଲୀ, ସ୍ପେନ୍, ଫ୍ରାନ୍ସ ଆଦି ଅନେକ ଶକ୍ତିଶାଳୀ ରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା ଭାଇରସ୍। ଆଉ ସେହି ଭୟଙ୍କର ଭାଇରସର ବାହକ ସାଜି ବିପଦ ସୃଷ୍ଟି କରିଛନ୍ତି ଜଣେ ଜଣେ ସୁପର ସ୍ପ୍ରେଡର୍। କରୋନାର କରାଳ କାୟା ଭିତରେ ଚିନ୍ତା ବଢ଼ାଉଛନ୍ତି ସୁପର୍ ସ୍ପ୍ରେଡର। ନିଜେ ଆକ୍ରାନ୍ତ ହୋଇ ଅନ୍ୟକୁ ବାଣ୍ଟି ଚାଲିଛନ୍ତି ମାରାତ୍ମକ ଭୂତାଣୁ। ତେବେ କିଏ ଏହି ସୁପର୍ ସ୍ପ୍ରେଡର୍ ? କେମିତି ପାଲଟିଯାଇଛନ୍ତି କରୋନା ଭୂତାଣୁର ମାରାତ୍ମକ ବାହାକ ?

ସାଉଥ୍ କୋରିଆର କରୋନା ସଂକ୍ରମିତ ନମ୍ବର ୩୧ ଜଣେ ୮୮ ବର୍ଷିୟା ମହିଳା ଚର୍ଚ୍ଚକୁ ଯାଇଥିଲେ। ସାମାଜିକ କାର୍ଯ୍ୟକ୍ରମରେ ବି ଯୋଗଦେଇଥିଲେ। କିନ୍ତୁ ସବୁକିଛି ଜାଣିଲାବେଳକୁ ସେ ୧୧ ଶହ ଜଣଙ୍କୁ ବାଣ୍ଟି ସାରିଥିଲେ କରୋନା ଭୂତାଣୁ।  ବିହାରର ସିୱାନରେ ଏଠି ବିଦେଶ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ୯ ଜଣ ସଂକ୍ରମିତ ହୋଇଥିଲେ।

ପରବର୍ତ୍ତୀ ସମୟରେ ସଂଖ୍ୟା ପହଞ୍ଚିଯାଇଥିଲା ୩୦କୁ। ଆଉ ସେ ପାଲଟି ଯାଇଥିଲେ ସୁପର୍ ସ୍ପ୍ରେଡର୍। କେବଳ ଏହି ଜଣେ ଦୁଇ ଜଣ ନୁହଁନ୍ତି, ଦେଶ ବିଦେଶରେ ଚିହ୍ନଟ ହୋଇଛନ୍ତି ଏକାଧିକ ସୁପର୍ ସ୍ପ୍ରେଡର୍। ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଲିଙ୍କରେ ଶନିବାର ସୁଦ୍ଧା ୨୯.୮ ପ୍ରତିଶତ ଅର୍ଥାତ ୨୩ଟି ରାଜ୍ୟରେ ୧୪,୩୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪,୨୯୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଦିଲ୍ଲୀର ପିଜା ଡେଲିଭରି ବୟ  ୭୨ଟି ଘରକୁ ଯାଇ ଖାଦ୍ୟ ଦେଇଆସିଥିବାବେଳେ ତାଙ୍କୁ ମଧ୍ୟ ସୁପର ସ୍ପ୍ରେଡର୍ ବୋଲି ଆଶଙ୍କା କରାଯାଉଛି।

ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ପରବର୍ତ୍ତୀ ସମୟରେ ସୁପର୍ ସ୍ପ୍ରେଡର୍ ଇଟାଲୀ ଦ୍ୱାରା ବିଶ୍ୱର ୫୦ରୁ ଅଧିକ ଦେଶକୁ ବ୍ୟାପିଥିଲା। ଏହାପରେ ପ୍ରତି ଦେଶରେ ଚିହ୍ନଟ କରାଯାଇଥିଲା ସୁପର୍ ସ୍ପ୍ରେଡରମାନଙ୍କୁ। ଭାରତରେ ଜାରି ରହିଥିବା କରୋନା ବିରୋଧୀ ଲଢ଼େଇ ଭିତରେ ଫୋକସରେ ରଖାଯାଇଥିଲା ଏହି ସୁପର ସ୍ପ୍ରେଡରଙ୍କୁ। ଅବଶ୍ୟ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ସୁପର୍ ସ୍ପ୍ରେଡରଙ୍କୁ ଚିହ୍ନଟ କରାଯାଇନି। ତଥାପି ସତର୍କ ଆଉ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ।

କିଛି ଲୋକ ଲକ୍ଷଣ ଥାଇ ବି ଜାଣି ଜାଣି ଆତ୍ମଗୋପନ କରିଥାଇପାରନ୍ତି। ଏଭଳି ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ଆଇସୋଲେଟ୍ କରିଦେବା ଦରକାର। ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କ ଠାରୁ ସବୁବେଳେ ୨ରୁ ୩ ମିଟର ଦୂରତା ରକ୍ଷା କରିବା ଉଚିତ। ତାସହ କୌଣସି ବ୍ୟକ୍ତିଙ୍କ ଠାରୁ ସିଧାସଳଖ କୌଣସି ଦ୍ରବ୍ୟ ଗ୍ରହଣ କରିବା ଅନୁଚିତ। ମାସ୍କ ପିନ୍ଧିବା ସହ ହାତକୁ ଭଲ ଭାବେ ଧୋଇନେବା ଉଚିତ୍।

You might also like