ଲାଇଫ୍ ଲାଇନ୍ ପାଲଟିଛି ଡେଥ୍ ଲାଇନ୍

ଖୋର୍ଦ୍ଧା  : ଲାଇଫ୍ ଲାଇନ୍ ପାଲଟିଛି ଡେଥ୍ ଲାଇନ୍। ରାଜପଥ ଏବେ ମୃତ୍ୟୁର ପଥ। ହାରାହାରି ପ୍ରତି ସପ୍ତାହରେ ଯାଉଛି ୩ ରୁ ୪ ଜୀବନ।  ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ଏନ୍ଏଚ୍ ୧୬ ଓ ଏନ୍ଏଚ୍ ୫୭ର କଥା । ଖୋର୍ଦ୍ଧା-ବାଲୁଗାଁ ଓ ଖୋର୍ଦ୍ଧା-ନୟାଗଡ଼କୁ ଯାଇଥିବା ଏଇ ରାସ୍ତାରେ ଦୁର୍ଘଟଣା ଘଟି ବର୍ଷକ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅାହତ ହେଲେଣି ପ୍ରାୟ ୧୦୦୦ଜଣ।

ଗତ ୧୦ ଦିନ ହେଲା ଦୁର୍ଘଟଣା ବଢ଼ିଥିବା କୁହାଯାଉଛି। ଏହାର କାରଣ ହେଉଛି, ଅସଂଖ୍ୟ ଖାଲ ଖମା ଓ ରାଜପଥ କଡ଼ରେ ଥିବା ବଡ ବଡ଼ ପଥର ଗଦା। ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏଇ ପଥରଗଦା ପାଖରେ କୌଣସି ସୂଚନା ଫଳକ କି ରିଫ୍ଲେକ୍ଟର ଲାଗିନଥିବାରୁ ପ୍ରାୟତଃ ରାତିରେ ବାଇକ୍ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଖୋର୍ଦ୍ଧା ଉପକଣ୍ଠ ଗଙ୍ଗପଡ଼ାର ପୁରୁଣା ଟୋଲ୍ ଗେଟ୍ । ୨ ବର୍ଷ ହେଲା ଏହି ଟୋଲ୍‌ଗେଟ୍ ଗୋଡ଼ିପଡ଼ାକୁ ଉଠି ଯାଇଥିଲେ ବି ଏଠାରୁ ପୁରୁଣା ଘର ଗୁଡ଼ିକ ଭଙ୍ଗାଯାଉନାହିଁ। ଫଳରେ କେତେବେଳେ କେଉଁ ଗାଡ଼ି ଉପରେ କଂକ୍ରିଟ୍ ଖସିଲାଣି, ତ କାହା ଉପରେ ଟାଇଲ ରାତିରେ ଏହା ଅସାମାଜିକ ବ୍ୟକ୍ତିଙ୍କ ଅାଡ୍ଡା ବି ପାଲଟିଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲାପାଳ କହିଛନ୍ତି ଏହାକୁ ଭାଙ୍ଗିବା ପାଇଁ ଏନ୍ଏଚ୍ଏଅାଇକୁ କୁହାଯାଇଥିଲେ ବି ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି। ଅନ୍ୟପକ୍ଷରେ ସାଂସଦ କହିଛନ୍ତି ଏହି ସମସ୍ୟା ମନ୍ତ୍ରୀଙ୍କ ଦୃଷ୍ଟିକୁ ଅାଣିବେ।

You might also like
Comments
Loading...