ଫେସ୍‌ବୁକ୍‌ରେ ବାଇକ୍‌କୁ‌ ଲାଇକ୍‌ କରି, ହରାଇଲେ ଟଙ୍କା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍‌ଲାଇନ୍‌ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିବାରେ ସଫଳ ହେଉଛନ୍ତି। ଏଭଳି ସାଇବର ଠକଙ୍କ ନିକଟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ସଚେତନତା କରାଯାଉଛି। ଏସବୁ ସତ୍ତ୍ୱେ ମଧ୍ୟ ଲୋକମାନେ ଠକାମିର ଶିକାର ହେଉଛନ୍ତି।

କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ଅବସରପ୍ରାପ୍ତ କର୍ମଚାରୀ ଠକାମିର ଶିକାର ହୋଇଥିବା ବେଳେ ପୁଣି ଏଭଳି ଏକ ଠକାମିର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲାର ୨ଜଣ ବ୍ୟକ୍ତି। ସୋସିଆଲ୍‌ ମିଡିଆରେ ଲୋଭନୀୟ ଅଫର ଦେଖାଇ ସାଇବର ଠକମାନେ ଏମାନଙ୍କ ନିକଟରୁ ହଜାର ହଜାର ଟଙ୍କା ଲୁଟି ନେଇଛନ୍ତି। ଲକ୍ଷ୍ମୀପୁର ସରପଞ୍ଚ ଉତ୍ମେ ହୁଇକାଙ୍କ ପୁଅ ସଚିନ ହୁଇକା ଓ ଖାଲକଣା ଗାଁର ଠିକାଦାର ଲାବନ୍ୟ ବିଡିକାଙ୍କ ଜେସିବି ଡ୍ରାଇଭର ସୁଖ ସାର୍କା ଏହି ଠକାମିର ଶିକାର ହୋଇଛନ୍ତି।

ଏମାନେ ପ୍ରଥମେ ଫେସବୁକରେ ଲାଇକ୍ କରି କେଟିଏମ୍ ବାଇକ୍‌ ପାଇଁ ପ୍ରଥମେ ୩ ହଜାର ଟଙ୍କା ଅନ୍‌ଲାଇନ୍‌ରେ ପୈଠ କରିଥିଲେ। ଏହାପରେ ସାଇବର ଠକ ଏମାନଙ୍କୁ ବାଇକ୍ ରେଜିଷ୍ଟ୍ରେସନ ହୋଇଗଲା, ହୋମ୍‌ ଡେଲିଭରି ଦିଆଯିବ ବୋଲି କହିଥିଲେ। ଏଥିପାଇଁ ଅନ୍‌ଲାଇନ୍‌ରେ ନଚେତ୍ ନଗଦ ଆକାରରେ ଟଙ୍କା ଦେବାକୁ ପଚାରିଥିଲା ସାଇବର ଠକ।

ସାଇବର ଠକଙ୍କ କଥାକୁ ବିଶ୍ୱାସ କରି ସଚିନ ଓ ଲାବନ୍ୟ ୨୧ ତାରିଖ ଦିନ ୨୨ ହଜାର,୨୨ ତାରିଖ ଦିନ ୧୮ ହଜାର ଟଙ୍କା ପୈଠ କରିଥିଲେ। ଟଙ୍କା ପାଇ ସାରିବା ପରେ ସାଇବର ଠକ ଜଣକ କହିଥିଲେ, ଆପଣଙ୍କୁ ୧୮ ହଜାର ୪ ଶହ ଟଙ୍କା ଦେବାକୁ କୁହାଯାଇଥିଲା, ହେଲେ ଆପଣ୧୮ ହଜାର ଟଙ୍କା ଦେଲେ। ତେଣୁ ଆପଣ ଦେଇଥିବା ୧୮ ହଜାର ଟଙ୍କା ନଗଦ ଫେରାଇ ଦିଆଯିବ ବୋଲି କହି ମନଜିଣି ପୁଣିଥରେ ୧୮ ହଜାର ୪ ଶହ ପଠାଇବାକୁ କହିଥିଲେ। ଠକର କଥାରେ ବିଶ୍ୱାସ କରି ୧୮ ହଜାର ୪ ଶହ ଟଙ୍କା ଦେଇଥିଲେ। ଟଙ୍କା ପାଇବାର କିଛି ସମୟ ପରେ ସାଇବର ଠକ ସେମାନଙ୍କୁ କହିଥିଲେ ଆପଣଙ୍କ ଗାଡ଼ି ରାୟଗଡାରେ ପହଞ୍ଚି ଯାଇଛି ଓ ଇନ୍‌ସ୍ୟୁରାନ୍ସ କାମ ଚାଲିଛି। ଆଉ ଦେଢ ଘଣ୍ଟା ପରେ ଆପଣଙ୍କ ଗାଡ଼ି ଲକ୍ଷ୍ମୀପୁରରେ ପାଇଯିବେ ବୋଲି କହି ଇନ୍‌ସ୍ୟୁରାନ୍ସ ବାବଦକୁ ୧୪ ହଜାର ୮ ଶହ ଟଙ୍କା ମାଗିଥିଲେ ସାଇବର ଠକ। ପୁଣିଥରେ ସାଇବର ଠକର କଥାକୁ ବିଶ୍ୱାସ କରି ସଚିନ ଓ ଲାବନ୍ୟ ଅନ୍‌ଲାଇନ୍‌ରେ ଟଙ୍କା  ପୈଠ କରିଥିଲେ। ଏପରି ଭାବରେ ଅନ୍‌ଲାଇନ୍‌ରେ ହଜାର ହଜାର ଟଙ୍କା ପୈଠ କରି ବାଇକ୍‌ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ବାଇକ୍‌ ମିଳିନଥିଲା। ପରେ ଏମାନେ ଠକାମିର ଶିକାର ହୋଇଥିବା ଜାଣିପାରି ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।

You might also like