
ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର
ଭୁବନେଶ୍ୱର : ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର। ହାଇକୋର୍ଟରୁ ଜାମିନ ପରେ ଅାଜି ଅଭିଜିତ୍ ଅାୟର ମିତ୍ରଙ୍କୁ ତଳକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ଅାଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ।
୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଭିଜିତଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଅାଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଭୁବନେଶ୍ୱର ସହିଦନଗର ଥାନା ଓ କୋଣାର୍କ ଥାନାରେ ଅାୟରଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଗତକାଲି ଅାୟରଙ୍କୁ ହାଇକୋର୍ଟରୁ ମଧ୍ୟ ଜାମିନ ମିଳିଥିଲା।
ତେବେ ଏ ମାମଲାରେ ତଳ କୋର୍ଟ ତାଙ୍କୁ ଅାବଶ୍ୟକ ସର୍ତ୍ତ ରଖି ଜାମିନ ଦେବାକୁ କହିଥିଲେ। ଅଭିଜିତ୍ ଅାୟର ଶ୍ରୀମନ୍ଦିର, କୋଣାର୍କ ଏବଂ ଓଡ଼ିଶାର କଳାସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଥିବା ଭିଡିଓ ସୋଶାଲ ମିଡିଅାରେ ଅପଲୋଡ୍ କରିଥିଲେ। ଏହା ଭାଇରାଲ ହେବାରୁ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଅଭିଜିତ୍ଙ୍କୁ ଗତ ଅକ୍ଟୋବର ୨୩ରେ ଗିରଫ କରାଯାଇଥିଲା।