ମିଶନ୍‌ ଚପର୍‌ ଫୁସ୍କିବା ପରେ ବୈଜୟନ୍ତକୁ ଫସାଇବା ପାଇଁ ଆଉ ଏକ ପ୍ଲାନ୍‌

ଭୁବନେଶ୍ୱର: ମିଶନ ଚପର୍ ଫୁସ୍କିବା ପରେ ଆୟାରଙ୍କୁ ଆୟୁଧ କରି ବୈଜୟନ୍ତଙ୍କୁ ଫସାଇବା ପାଇଁ ବିଜେଡି ପ୍ଲାନ୍ କରିଥିବା ନେଇ ଚର୍ଚ୍ଚା ହେଉଛି। ଦଳର ପ୍ଲାନ୍‌ ‘ଏ’ ସଫଳ ନ ହେବାରୁ ପ୍ଲାନ୍‌ ‘ବି’ କରି ଦଳ ବୈଜୟନ୍ତଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲା ବୋଲି କୁହାଯାଉଛି।
ଦଳର ଲକ୍ଷ୍ୟ ଥିଲା, ପ୍ଲାନ୍‌ ‘ଏ’ ଚପର୍‌ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଫସାଇବେ ଓ ବିଧାନସଭାରେ ତୁମ୍ବିତୋଫାନ କରିବେ। କିନ୍ତୁ ଏହି ପ୍ଲାନ୍‌ ସଫଳ ହେଲାନି। କାରଣ ଅଭିଯୋଗର ଆଧାର ନଥିବା ଧରାପଡ଼ିଲା। ଏହା ସହ ଚିଲିକା ଉପରେ ଚପର୍‌ ଉଡ଼ାଇଥିବା ଅଭିଯୋଗରେ ଖୋଦ୍‌ ଦଳର ମୁଖିଆ ଓ ଅନ୍ୟ  ହେଭିୱେଟ୍‌ ନେତା ବି ସ୍କାନର୍‌ରେ ଆସିଲେ। ତେଣୁ ଅନ୍ୟ କୌଣସି ଉପାୟ ନ ପାଇଁ ବିଜେଡ଼ି ପ୍ଲାନ୍‌ ‘ବି’ ଚିନ୍ତା କଲା।

ବୈଜୟନ୍ତଙ୍କ ସହଯାତ୍ରୀ ଆୟାରଙ୍କୁ ଆୟୁଧ କରିବାକୁ ଖୋଜା ହେଲା ବର୍ଷକ ତଳର ଟୁଇଟ୍‌। ଯୋଜନା ମୁତାବକ ବିଜେଡି ବିଧାୟକମାନେ ଆୟରଙ୍କ ଓଡ଼ିଶା ସମ୍ପର୍କିତ ଟୁଇଟ୍‌କୁ ଆଜି ଶୂନ୍ୟ କାଳରେ ଉଠାଇଲେ।

ବୈଜୟନ୍ତ ଆୟରଙ୍କୁ ଓଡ଼ିଶା ବୁଲାଇଥିବାରୁ ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କଲେ।  ଆୟାରଙ୍କ ଅରୁଚିକର ଟୁଇଟକୁ କଂଗ୍ରେସ ଓ ବିଜେପି ମଧ୍ୟ ଗୃହ ବାହାରେ ନିନ୍ଦା କରିଥିଲେ।

ଅନ୍ୟପଟେ ଚପର୍ ଉଡ଼ାଣ ପ୍ରସଙ୍ଗରେ ସାମୁଦ୍ରିକ ଥାନା ପୁଲିସ୍‌ର ନୋଟିସ୍‌ ପାଇ ବୁଧବାର ପୁରୀ ସଦର ଥାନାରେ ଇମ୍ଫା ଅଧିକାରୀ ହାଜରେ ହୋଇଥିଲେ। ୪ ଘଣ୍ଟା ଧରି ମାରାଥନ ଜେରା ଚାଲିଥିଲା। ଇମ୍ଫା କର୍ତ୍ତୃପକ୍ଷ ୧୫ ତାରିଖର ଚପର ଉଡ଼ାଣ ସଂପର୍କରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ଆସନ୍ତା ୨୪ ତାରିଖରେ ପୁଣି ହାଜର ହେବାକୁ କୁହାଯାଇଛି।

ଚିଲିକା ଉପରେ ହେଲିକପ୍ଚର୍‌ ଉଡ଼ାଣ ମାମଲାରେ ଅଭିଯୋଗକୁ ବୈଜୟନ୍ତ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,ଚିଲିକା, ପୁରୀ, କୋଣାର୍କ ନୋ ଫ୍ଲାଇଂ ଜୋନ୍‌ରେ ନାହିଁ। ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏସବୁ ଜାଗାରେ ଉଡ଼ାଣ କରିହେବ। ପୁରୀ, କୋଣାର୍କ ମନ୍ଦିର ଉପରେ ଉଡ଼ୁଥିବା ଅଭିଯୋଗ ମିଛ।

ମନ୍ଦିର ଉପରେ ନୁହେଁ, ୩ କିମି ଦୂରରେ ଏବଂ ଯଥେଷ୍ଟ ଉଚ୍ଚରେ ଉଡ଼ୁଥିଲୁ ବୋଲି ବୈଜୟନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ହଇରାଣ କରିବାକୁ ଏସବୁ କରାଯାଉଛି। ଇମର୍‌ଜେନ୍‌ସି ବେଳେ ଏମିତି ହେଉଥିଲା ବୋଲି ବୈଜୟନ୍ତ କହିଛନ୍ତି। କେବଳେ ସେତିକି ନୁହଁ ଓଡ଼ିଆ ସଂସ୍କୃତିକୁ ଅଭିଜିତ ଆୟର ମିତ୍ରଙ୍କ ସମାଲୋଚନାକୁ ମଧ୍ୟ ବୈଜୟନ୍ତ ନିନ୍ଦା କରିଛନ୍ତି।

୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଦିନ ଗୋଟାଏ  ଛବିଶରେ ଭୁବନେଶ୍ୱର ଏୟାରପୋର୍ଟରେ ଅବତରଣ କରିଥିଲା ବୋଲି ଏୟାର ପୋର୍ଟ ଅଥରିଟି ସ୍ପଷ୍ଟ କରିଥିଲେ। ଏହାପରେ ପୁଲିସ୍‌ ପୂର୍ବରୁ ଅଭିଯୋଗରେ ଦର୍ଶାଯାଇଥିବା ଗୋଟାଏ ୩୦ ସମୟକୁ ବଦଳାଇ ଦେଇ ଚିଲିକା ଉପରେ ଉଡ଼ାଣର ସମୟ ୯ ଟା ୩୦ ବୋଲି କହିଥିଲା।

ତେବେ ନିଜେ ଉଡ଼ାଣର ସମୟକୁ ନେଇ ଦ୍ୱନ୍ଦରେ ଥିବା ପୁଲିସ୍‌ କାହା ଚାପରେ ତରବରିଆ ଭାବେ ଇମ୍ପାର ହ୍ୟାଙ୍ଗରକୁ ସିଲ୍‌ କଲା  ସେ ନେଇ ଏବେ ପ୍ରଶ୍ନ ଉଠିଛି।

 

You might also like