ପରିବାର ପୋଷୁଛି ଛତୁ ଚାଷ,ଗାଁରେ ଘରେ ଘରେ ସଫଳ ଛତୁ ଚାଷୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଲୋକଙ୍କୁ ସ୍ୱାବଲମ୍ବୀ  କରିବା ସହ  ଗୁଜୁରାଣମେଣ୍ଟାଇ ପାରୁଛି ଛତୁ ଚାଷ । ସମଗ୍ର ଗାଁ ପାଲଟିଛି ଛତୁ ଚାଷର ସଫଳ ଗାଁ ।  ପ୍ରଥମେ ସଂଘର୍ଷ ଆଉ ଏବେ ସଫଳତାର ସ୍ୱାଦ ଚାଖିଛନ୍ତି ଗାଁ ଲୋକେ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁ । ଗାଁର ୬୦ ଭାଗ ଲୋକଙ୍କ ପ୍ରଧାନ ଜୀବିକା ହେଉଛି ଛତୁଚାଷ । ଖରିପ୍ ଋତୁରେ ଧାନ ଚାଷ କରିବା ସହ ରବି ଋତୁରେ ଛତୁ ଚାଷ ସେମାନଙ୍କୁ ଜଣେ ଲେଖାଏଁ ସଫଳ ଉଦ୍ୟୋଗୀ କରି ପାରିଛି । ଲୋକଙ୍କ ପ୍ରଧାନ ଜୀବିକା ଚାଷ ହୋଇଥିବା ବେଳେ ପ୍ରାୟ ୧୦ ଭାଗ ଲୋକ ଦିନ ମଜୁରିଆ ଭାବରେ ବିଭିନ୍ନ ସ୍ଥାନରେ ରହି ପରିବାର ପ୍ରତିପୋଷଣ କରିଥାନ୍ତି । ଭିଟାମାଟି ନଛାଡ଼ି ଗାଁରେ ପରିବାର ପୋଷିବାର ନିଶା ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି। ଉଷ୍ମ ଜଳବାୟୁ ସହ ଜଳର ସୁବିଧା ଛତୁ ଚାଷ ପାଇଁ ବେଶ ଲାଭଦାୟକ । ପରିବାରର ଗୁଜୁରାଣ ଓ ଛୁଆଙ୍କ ଭବିଷ୍ୟତ ପାଇଁ ପଥରଖମ୍ବ ଗାଁର ଲୋକମାନେ ଘରେ ଘରେ ଛତୁ ଚାଷ କରୁଛନ୍ତି ।

 

ଛତୁ ଚାଷ ପାଇଁ ଗୋଟିଏ ବେଡ଼ ପିଛା ପ୍ରାୟ ୭୦ ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ । ତିନି ସ୍ତରରେ ନଡ଼ାକୁ ବେଡ଼ କରିବା ପୂର୍ବରୁ ଭଲ ଭାବରେ ନଡ଼ାକୁ ଗମ (ବତରା) କରାଯାଇଥାଏ । ଗମ ଦିଆଯାଇଥିବା ନଡ଼ାକୁ ତିନି ସ୍ତର ବିଶିଷ୍ଟ ଏକ ବେଡ଼ ପ୍ରସ୍ତୁତ କରାଯାଇଥାଏ । ଯେଉଁଥିରେ ୨ ଶହରୁ ୨ ଶହ ୫୦ ଗ୍ରାମର ଛତୁ ମଞ୍ଜି ,ସମ ପରିମାଣର  ଚୋକଡ଼ ଓ ବେସନର ମିଶ୍ରଣ ଦିଆଯାଇଥାଏ । ପ୍ରାୟ ୩ ଦିନ ପର୍ଯ୍ୟନ୍ତ ଛତୁର ବେଡ଼କୁ ଛାଡି ସେହିପରି ଛାଡ଼ି ଦିଆଯାଏ । ପରେ ଛତୁ ବେଡ଼ ଉପରେ ପାଣି ଦିଆଯାଏ । ପାଣି ଦେବା ପରଠାରୁ ୧୦ ରୁ ୧୨ ଦିନ ପରେ ଛତୁ ଗୁଡିକ ବାହାରିବା ଆରମ୍ଭ କରେ. ଯାହା ତୋଳିବା ପାଇଁ ଉପଯୋଗୀ ହୋଇଥାଏ । ଗୋଟିଏ ବେଡ଼ରୁ ପ୍ରାୟ ୨ ରୁ ୩ କିଲୋଗ୍ରାମର ଛତୁ ଫୁଟିଥାଏ ।

ତେବେ ଏହି ଅଞ୍ଚଳରେ ଛତୁର ବଜାର ନଥିବାରୁ ଏଠାରେ ଦୂରଦୁରାନ୍ତରରୁ ଭିଡ଼ ଜମେ । ରାଉରକେଲା ,କଟକ, ତାଳଚେର, ଢେ଼ଙ୍କାନାଳ, ଭୁବନ ଓ କାମାକ୍ଷାନଗର ଆଦି ଅଂଚଳରୁ ବେପାରୀ ମାନେ ଆସି ଛତୁ ଚାଷୀଙ୍କ ଠାରୁ ଛତୁ କିଣିଥାନ୍ତି । ସେହିପରି ପ୍ରତିଦିନ କେତେକ ଛତୁ ଚାଷୀ ପରିବାର ଚଳାଇବା ପାଇଁ ୫୩ ନଂ ଜାତୀୟ ରାଜପଥ କଡରେ ବସି ଛତୁ ବିକ୍ରି କରିଥାନ୍ତି । ଅନ୍ୟପଟେ ପଥରଖମ୍ବ ଗାଁର ଛତୁ ଚାଷୀ ମାନଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ପ୍ରଦାନ କଲେ ଚାଷ ଓ ଚାଷୀର ବେଶ ଉନ୍ନତି ସାଧିତ ହୋଇପାରିବ ।

 

You might also like