• translate
Prangyan Parimita

କୋଣାର୍କ(ସଞ୍ଜୟ ପତି) : ପ୍ରେମ ଦୁଇଟି ଆତ୍ମା, ଦୁଇଟି ମନର ମିଳନ।ଆଉ ବିବାହ ଏକ ପବିତ୍ର ବନ୍ଧନ। ପ୍ରେମ ଦେଖେନା ଜାତି, ଧର୍ମ, ବର୍ଣ୍ଣ କି ସୀମା ସରହଦ। ପ୍ରେମ ବିନା ସମ୍ପର୍କ, ଯେମିତି ଆତ୍ମାବିନା ଶରୀର। ପାଇବା ଠାରୁ ଅଧିକ ଦେବାର ପ୍ରୟାସ ପ୍ରେମ। ଏମିତି ଏକ ପ୍ରେମଡୋରୀରେ ବନ୍ଧା ହୋଇଛନ୍ତି ଲିଜାରାଣୀ ଓ ତାଙ୍କ ଜୀବନସାଥୀ ଦିବ୍ୟାଙ୍ଗ ପୁରୁଷୋତ୍ତମ। ହାତ ଧରି ସାଥୀ ହୋଇ ଜୀବନର ବାଟ ଚାଲୁଛନ୍ତି। ଦିବ୍ୟାଙ୍ଗ ଜାଣି ବି ନିଜ ଜୀବନସାଥୀ ବାଛିଛନ୍ତି ଲିଜାରାଣୀ ।

ମେଡ଼ିକାଲରୁ ଆରମ୍ଭ ହୁଏ ଏ ନିଆରା ପ୍ରେମକାହାଣୀ। ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମୟରେ ଦେଖାଚାହାଁରେ ପରସ୍ପରକୁ ଭଲପାଇ ବସିଲେ ଲିଜାରାଣୀ ଓ ପୁରୁଷୋତ୍ତମ। ହସ୍ପିଟାଲରେ ମାତ୍ର ଏକ ସପ୍ତାହ ରହଣୀ ମଧ୍ୟରେ ଉଭୟଙ୍କ ମଧ୍ୟରେ ଗଢି ଉଠେ ଗଭୀର ପ୍ରେମସମ୍ପର୍କ। ପରସ୍ପର ମୋବାଇଲ ନମ୍ବର ଦିଆନିଆ ହେବା ପରେ ୪ମାସ ଭିତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହୋଇଯାଇଥିଲା। ହେଲେ ଏସମ୍ପର୍କକୁ ମାନି ନଥିଲେ ପରିବାର ଲୋକ।  ଘର ଲୋକଙ୍କ ବାରଣ ସତ୍ତ୍ୱେ ସବୁଦିନ ପାଇଁ ପୁରୁଷୋତ୍ତମଙ୍କ ହାତ ଧରିବାକୁ ଲିଜାରାଣୀ ଚାଲି ଆସିଥିଲେ ନିମାପଡା। କିଛି ଦିନ ପରେ ଉଭୟ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ନିମାପଡା ଭୋଗସଳଦାଗାଁର ପ୍ରଭାକର ବେହେରାଙ୍କ ଏକ ମାତ୍ର ପୁଅ ପୁରୁଷୋତ୍ତମ । ବୃତ୍ତିରେ ପ୍ରଭାକର ଜଣେ ଦିନ ମଜୁରିଆ। ଏକମାତ୍ର ପୁଅ ପୁରୁଷୋତ୍ତମ ୮ବର୍ଷ ବୟସ ହେଲାବେଳକୁ ଏକ ଅଜଣା ରୋଗରେ ପୀଡିତ ହେଲେ। ହାତ ଗୋଡ ସବୁ ଧୀରେ ଧୀରେ ଅଚଳ ହେବାକୁ ଲାଗିଲା। ଆଉ ଏସବୁ ଭିତରେ ଯୁକ୍ତ ଦୁଇ ପାସ୍ କରି ଯୁକ୍ତ ତିନିରେ ନାମ ଲେଖାଇଥିଲେ। କଷ୍ଟେମଷ୍ଟେ ତାଙ୍କ ବାପା ମଜୁରି କରି ତାଙ୍କୁ ପାଠପଢ଼ାଇଥିଲେ। ଦେହ ଅଧିକ ଖରାପ ହେବାରୁ ୨୦୧୯ରେ ମସିହାରେ ବାପା ମା ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁ ୱାର୍ଡରେ ଚିକିତ୍ସିତ ହେଉଥିଲେ ତାଙ୍କର ବେଡ ନିକଟରେ ନୟାଗଡ ବାମଦେବପୁର ଗାଁର ଲିଜାରାଣୀ ଚିକିତ୍ସା ହେଉଥିଲେ ।

ଏକ ବର୍ଷର ଦାମ୍ପତ୍ୟ ଜୀବନ ମଧ୍ୟରେ ପୁରୁଷୋତ୍ତମଙ୍କ ସେବା କରିବାରେ ଲିଜାରାଣୀ ଟିକିଏ ବି ହେଳା କରିନାହାନ୍ତି। ସ୍ୱାମୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଏକମାତ୍ର ପୁଅ ଏବେ ପରିବାର ଉପରେ ବୋଝ। ତେବେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଗୁହାରୀ କରିଛନ୍ତି ଲିଜାରାଣୀ।

 

Other Stories