ଓଲଟିଲା ଟ୍ରକ୍‌, ପେଟି ପେଟି ବୋହିନେଲେ

ସୋର: ଗ୍ରୋସରୀ ସାମଗ୍ରୀ ନେଇ ଯାଉଥିବା ଏକ ଟ୍ରକ୍‌ ଗତକାଲି ବାଲେଶ୍ୱର ଜିଲ୍ଲା ବିଦୁ ଛକ ନିକଟବର୍ତ୍ତୀ ନାଇକବନ୍ଧ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି। ଓଲଟି ପଡ଼ିଥିବା ଟ୍ରକ୍‌ରୁ ଲୋକମାନେ ଗ୍ରୋସରୀ ସାମଗ୍ରୀ ବୋହି ନେଉଥିବା ଦେଖିବାକୁ ମିଳିଛି। ଏପରିକି ମାଟି କାଦୁଅ ଭିତରେ ପଶି ଲୋକମାନେ ଗ୍ରୋସରୀ ସାମଗ୍ରୀ ସବୁ ବୋହି ନେଇଥିଲେ।

ସୂଚନା ଅନୁସାରେ, ଭଦ୍ରକରୁ ବାଲେଶ୍ୱର ଯାଉଥିବା ଏକ ଟ୍ରକ୍(OR-11A-0477)‌ ନୟନଜୋରିକୁ ଓଲଟି ପଡ଼ିଥିଲା। ଏହି ଟ୍ରକ୍‌ରେ ଗ୍ରୋସରୀ ସାମଗ୍ରୀ ଥିଲା। ଟ୍ରକ୍‌ରେ ଗ୍ରୋସରୀ ସାମଗ୍ରୀ ଥିବା ନେଇ ଯେତେବେଳେ ସ୍ଥାନୀୟ ଲୋକ ଜାଣିବାକୁ ପାଇଲେ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଗ୍ରୋସରୀ ସାମଗ୍ରୀ ବୋହିବାରେ ଲାଗିଥିଲେ। ଯିଏ ଯାହା ପାରିଲା ସାଙ୍ଗେସାଙ୍ଗେ ଉଠାଇ ସେଠାରୁ ଦୌଡ଼ି ପଳାଇଥିଲେ। ଏପରିକି ରାସ୍ତାରେ ଯାଉଥିବା ବାଇକ୍‌ ଆରୋହୀମାନେ ରାସ୍ତା କଡ଼ରେ ବାଇକ୍‌ ରଖି ଗ୍ରୋସରୀ ସାମଗ୍ରୀ ନେବାକୁ ମଧ୍ୟ ପଛାଇ ନଥିଲେ। କିଏ ବ୍ୟାଗ୍‌ରେ ଭର୍ତ୍ତି କରି ନେଇ ଯାଉଛନ୍ତି ତ, ଆଉ କିଏ ସିଧା ପେଟି ଉଠାଇ ନେଇ ପଳାଉଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। 

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଟ୍ରକ୍‌ରେ ଖାଲି ୨-୪ ପେଟି ଗ୍ରୋସରୀ ସାମଗ୍ରୀ ଥିଲା।

ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର୍‌ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

You might also like