ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ପେସା ଶିକ୍ଷକତା, ହେଲେ ନିଶା ପରିବେଶ ସୁରକ୍ଷା। ଅସହାୟ ପଶୁପକ୍ଷୀ କିଭଳି ସୁରକ୍ଷିତ ସହାବସ୍ଥାନ କରିବେ ଏବଂ ବୃକ୍ଷଲତାଙ୍କ ଯତ୍ନ ନେଇ କିଭଳି ସୁନ୍ଦର ପରିବେଶ ସୃଷ୍ଟି କରାଯାଇ ପାରିବ, ସେଇ ଚିନ୍ତାରେ ଅହରହ ବିତୁଥାଏ ସମୟ । ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଏମିତି ଜଣେ ପ୍ରକୃତି ବନ୍ଧୁ ଶିକ୍ଷକ ଅଛନ୍ତି, ଯିଏ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

ହଜାର ହଜାର ଗେଣ୍ଡାଳିଆଙ୍କ କଳରବରେ କମ୍ପୁଛି ପରିବେଶ। ଆଉ ଏହାସହ ଶହ ଶହ ବାଦୁଡ଼ିଙ୍କ କିଚିରି ଶବ୍ଦ । ଏ ଦୁଇ ପ୍ରଜାତିର ପ୍ରାଣୀଙ୍କ ନିର୍ଭୟ ଆଶ୍ରୟସ୍ଥଳ ପାଲଟିଥିବା ଏ ଅଞ୍ଚଳ ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ବ୍ଲକର ବାରଡୋଲ ଗାଁ ।

ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଥିବା ଏ ସ୍ଥାନ ସରକାରୀ ଉଦ୍ୟମରେ ନୁହେଁ, ବରଂ ଜଣେ ସ୍କୁଲ ଶିକ୍ଷକଙ୍କ ନିଷ୍ଠା ଓ ପରିଶ୍ରମର ଫଳ । ଏକଦା ମାତ୍ର ୩୦୦ ଗେଣ୍ଡାଳିଆଙ୍କ ବାସସ୍ଥାନ ଥିବା ଏ ଅଞ୍ଚଳରେ ଚାଲିଥିଲା ଅବାଧ ପକ୍ଷୀ ଶିକାର । ସ୍ଥାନୀୟ କୁଣ୍ଡିପଦର ବିଦ୍ୟାଳୟର ପ୍ରକୃତିପ୍ରେମୀ ଶିକ୍ଷକ ନୀଳାମ୍ବର ଖମାରୀ ଏହାକୁ ବିରୋଧ କରି ଆଗେଇ ଆସିଥିଲେ। ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ ଗାଁ ଲୋକଙ୍କୁ ସଚେତନ କରି ପରେ ସେଇମାନଙ୍କ ସହୟତାରେ ଆରମ୍ଭ କରିଥିଲେ ଗେଣ୍ଡାଳିଆଙ୍କ ବଂଶ ବିସ୍ତାର ଯୋଜନା ।

ଏବେ ଏଠାରେ ୫ ହଜାରରୁ ଅଧିକ ହେଲାଣି ଗେଣ୍ଡାଳିଆଙ୍କ ସଂଖ୍ୟା। ସେତିକି ନୁହେଁ, ସ୍ଥାନୀୟ ରାସବିହାରୀପୁର ଗାଁରେ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ବି ଅହରହ ଲାଗିଛନ୍ତି ନୀଳାମ୍ବର । ତାଙ୍କରି ଉଦ୍ୟମରେ ଏ ଅଞ୍ଚଳ ଏବେ ଚିଲିକାର ଭ୍ରମ ସୃଷ୍ଟି କରୁଛି।

ପ୍ରକୃତିକୁ ପ୍ରାଣ ଭରି ଭଲ ପାଉଥିବା ଏଭଳି ମଣିଷ ମନରେ ଖାଲି ଜୀବଜନ୍ତୁଙ୍କ ପ୍ରତି ନୁହେଁ, ବୃକ୍ଷଲତାଙ୍କ ପ୍ରତି ମଧ୍ୟ ରହିଛି ଅଜସ୍ର ଶ୍ରଦ୍ଧା। କୁଣ୍ଡିପଦର ବିଦ୍ୟାଳୟର ପରିବେଶକୁ ଟିକିଏ ଆଖି ବୁଲାଇ ଆଣିଲେ ତାହା ବେଶ୍ ଠଉରାଇ ହୁଏ । ସ୍କୁଲ ହତାରେ ଜାତି ଜାତିକା ଫୁଲ ଫଳ ଗଛ ଲଗାଇବା ସହ ଯତ୍ନ ନେଇ ଏହାକୁ ଗଢ଼ିଛନ୍ତି ଏକ ମନୋରମ ପାର୍କ ସଦୃଶ।

ସେହିଭଳି ପିଲାଙ୍କ ପାଠପଢା, ବିଦ୍ୟାଳୟରେ ସ୍ୱଚ୍ଛ ପରିବେଶ ସହ ସବୁ କାର୍ଯ୍ୟକୁ ଖୁବ୍ ବ୍ୟବସ୍ଥିତ ଢଙ୍ଗରେ ଅନୁପାଳନ ବି କରାଯାଉଛି। ଏଥିପାଇଁ ବ୍ଲକ୍, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୀଳାମ୍ବରଙ୍କୁ ଅନେକ ମାନ ସମ୍ମାନ ମିଳିଥିବା ବେଳେ ତାଙ୍କ ପ୍ରଶଂସାରେ ଶତମୁଖ ଛାତ୍ର, ସହକର୍ମୀ ଓ ଅଞ୍ଚଳବାସୀ।

ଶିକ୍ଷକ ନୀଳାମ୍ବର ଖମାରୀଙ୍କ ଉଦ୍ୟମ ପାଇଁ କୁଣ୍ଡିପଦର ସ୍କୁଲ ଏକ ଆଦର୍ଶ ବିଦ୍ୟାଳୟର ମାନ୍ୟତା ପାଇଥିବା ବେଳେ ଏ ଅଞ୍ଚଳ ବି ବେଶ୍ ପ୍ରସିଦ୍ଧି ଲାଭ କରିଛି ।

ଆହୁରି ପଢ଼ନ୍ତୁ

You might also like