ଲୋକଙ୍କୁ ପଚରାଉଚରା ବାହାନାରେ ପୁଲିସ୍‌ର ମାଡ଼ ଓ ଧମକ ଅଭିଯୋଗ

ସୁନ୍ଦରଗଡ଼ ପୁଲିସ୍‌ ନାଁରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ୍‌ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ଼ କନିକା ଫାଣ୍ଡି ଭଙ୍ଗାରୁଜା ମାମଲାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦମନଲୀଳା ଚଳାଇଥିବା ଅଭିଯୋଗ ହୋଇଛି।

ଗତ ୪ ତାରିଖ ରାତିରେ ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ବାହାନାରେ ଲୋକଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଖୋଦ୍ ଏସ୍‌ପି ଘଟଣାସ୍ଥଳରେ ଜଣେ ଗର୍ଭବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାଥାଉ କି, ଗତ ଦୁଇ ତାରିଖ ଦିନ ସ୍ଥାନୀୟ ଅଞ୍ଚଳରେ ଏକ ଦୁର୍ଘଟଣାରେ ଲିପୁନ ନାଏକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ପୁଲିସ୍‌ ଛାଡ଼ି ଦେଇଥିବା ଅଭିଯୋଗରେ ଲୋକେ କନିକା ଫାଣ୍ଡି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ୍‌ର ବର୍ବରତାକୁ ନେଇ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ନିନ୍ଦା କରିଛନ୍ତି। ଆଜି ବିଧାୟିକା ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ଏସ୍‌ପିଙ୍କୁ ଭେଟିବାକୁ ଆସିଥିବା ସୂଚନା ମିଳିଛି।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର। ଗତକାଲି ରାତିରେ ତଦନ୍ତ କରାଯାଇଥିଲା। କୌଣସି ପ୍ରକାରର ଦୁର୍ବବ୍ୟହାର କରାଯାଇନି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଏସ୍‌ପି।

You might also like