ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ବରିଷ୍ଠ ଅଧିକାରୀ

ଆଉ ମାତ୍ର ତିନି ଦିନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଉ ମାତ୍ର ତିନି ଦିନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ। ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସପି କେ. ବି. ସିଂହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ କରାଇବା ନେଇ ଏହି ଉଚ୍ଚସ୍ତରୀୟ ଟିମ୍ ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ବୁଲି ଅନୁଧ୍ୟାନ କରିଛନ୍ତି। ୨୩ ଓ ୨୪ ତାରିଖରେ ସେବାୟତଙ୍କ ପରିବାର ଦର୍ଶନ କରିବେ କାଳିଆ ଠାକୁରଙ୍କୁ।

ସେହିପରି ୨୫ରୁ ୩୧ ପୁରୀ ସହରବାସୀ ଦର୍ଶନ କରିବାକୁ ସ୍ଥିର ହୋଇଛି ଏଣୁ ମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ, ତାହାର ସମୀକ୍ଷା କରିଛନ୍ତି ଉଚ୍ଚ ଅଧିକାରୀ। ଏହାଛଡ଼ା ଏହି ଟିମ୍ ଶ୍ରୀମନ୍ଦିର ଚାରିପାଖର ବିକାଶ ଓ ହେରିଟେଜ୍ କରିଡରର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲୁଥିବାରୁ ମନ୍ଦିର ଚାରିପଟ ଓ ଐତିହ୍ୟସ୍ଥଳର ସଫେଇ କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ କୁହାଯାଇଛି।

ଏହାଛଡ଼ା ୨୦ ମିଟର ଚଉଡ଼ା ବିଶିଷ୍ଟ ଆଉଟର ରିଙ୍ଗରୋଡ଼ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ। ଏହାସହ ସମାନ୍ତରାଳ ଭାବେ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ହେରିଟେଜ୍ କରିଡର ଓ ବଫର ଏରିଆ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସବୁ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତେବେ ଏହା ପରେ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ସେନେଇ ଫାଇଭ ଟି ସଚିବ ଆଜି ସମୀକ୍ଷା କରିଛନ୍ତି।

You might also like