ହାଇକୋର୍ଟରେ ପହଞ୍ଚିଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା
ପୁରୀ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଶରତ ରାୟଗୁରୁ ନାମକ ଜଣେ ଆଇନଜୀବୀ। କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ସେ ଅପିଲ କରିଛନ୍ତି। ତା ସହିତ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି ଶରତ।
କୋର୍ଟ ମଧ୍ୟ ଶରତଙ୍କ ଆବେଦନକୁ ଗ୍ରହଣ କରି ନେଇଛନ୍ତି। ଆବେଦନ ଗ୍ରହଣ କରିବା ପରେ ସରକାରଙ୍କୁ ରିପୋର୍ଟ ତଲବ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
ଅନ୍ୟପଟେ ପୁରୀ ସହିତ ବୀରମିତ୍ରପୁରରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ମାନବାଧିକାର କମିଶନରେ ୨ଟି ପୃଥକ ମାମଲା ଦାୟର କରାଯାଇଛି। ଦୁଇଟି ଅଲଗା ଅଲଗା ମାମଲା ଦାୟର କରିଛନ୍ତି ମାନବାଧିକାର କର୍ମୀ ପ୍ରବୀର ଦାସ। ଉଭୟ ମାମଲାର ତଦନ୍ତ OHRC ନିଜ ସଂସ୍ଥା ଦ୍ୱାରା କରୁ ବୋଲି ସେ ଅପିଲ କରିଛନ୍ତି। ତା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଅପିଲ କରାଯାଇଛି। ଦୋଷୀ ପୋଲିସଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ବି ଅପିଲ କରିଛନ୍ତି ପ୍ରବୀର ଦାସ।
ସେପଟେ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା କେ. ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ଗତକାଲିଠାରୁ ପୋଲିସ ନେଇଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଜାତୀୟ ମାନବାଧିକାର ଫ୍ରଣ୍ଚର ସଦସ୍ୟ ମାନେ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ପରିବାରକୁ ୫୦ ଲକ୍ଷ ସହାୟତା ଓ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ମାନବାଧିକାର କର୍ମୀ ଦାବି କରିଛନ୍ତି। ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଗତକାଲି ସୃଷ୍ଟି ହୋଇଥିଲା ଉତ୍ତେଜନା।