ଅନୁଗୁଳରେ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ପିକ୍‌ନିକ୍‌ ଯାଉଥିବା ସମୟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଠାକୁରହାଟ ଅଞ୍ଚଳର ପ୍ରାୟ ୬୦ ଜଣ ଲୋକ ଏକ ବସ୍‌ରେ ରାଉକେଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ବାହାରିଥିଲେ। ହେଲେ ବାଟରେ ଏକ ଟ୍ରକ୍‌ ସହ ବସ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଛି।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କୁ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାରେ ୩୩ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ଡାକ୍ତରଖାନାରେ ଆଡ୍‌ମିଟ୍ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କଟକ ପଠାଯିବ। ଅନ୍ୟ ଆହତମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଲକ୍ଷ୍ମୀ ନାରାୟଣ ବିଷୋୟୀ କହିଛନ୍ତି। ଆହତ ୩୩ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ, ମହିଳା ୧୮ଜଣ ଅଛନ୍ତି ବୋଲି ଏଡିଏମ୍‌ଓ କହିଛନ୍ତି।

ତେବେ ଏହି ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ଯାତ୍ରୀଙ୍କ କହିବା ଅନୁଯାୟୀ ବସ୍‌ଟି ଏକ ଗାଡ଼ିକୁ ଓଭରଟେକ୍ କରି ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ପୁଲିସ୍ ଘଟଣାର ତଦନ୍ତ କରୁଛି।

You might also like