ପାରା ଧରିବାକୁ ଯାଇ ପାଣି ଟାଙ୍କିରେ ଖସି ପଡ଼ିଲେ ନାବାଳକ

ରାଉରକେଲା: କଥାରେ ଅଛି, ରଖେ ହରି ତ ମାରେ କିଏ।। ପାରାକୁ ଧରିବା ପାଇଁ ଜଣେ ନାବାଳକ ଅଜାଣତରେ ୨ ଦିନ ପୂର୍ବେ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ। ଶେଷରେ ନାବାଳକଙ୍କୁ ସୁରକ୍ଷିତ ଭାବରେ ଉକ୍ତ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି। ଏବେ ନାବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ପରିବାର ଲୋକଙ୍କୁ ଥାନାକୁ ଡକାଯାଇ ତାଙ୍କୁ ହସ୍ତାନ୍ତର କରାଯାଇଛି। ରାଉରକେଲା ବନ୍ଧମୁଣ୍ଡାର ସେକ୍ଟର-Bରେ ଏହି ଘଟଣା ଘଟିଛି। ଉଦ୍ଧାର ନାବାଳକଙ୍କ ଘର ବନ୍ଧୁମଣ୍ଡା ଡୁମେର୍ତ୍ତା ଅଞ୍ଚଳରେ।

ସୂଚନା ଅନୁସାରେ, ବନ୍ଧମୁଣ୍ଡାର ସେକ୍ଟର-ବିରେ ଥିବା ପ୍ରାୟ ୫୦ ଫୁଟ ଉଚ୍ଚତାର ଏକ ପାଣି ଟାଙ୍କି ନିକଟରେ  ଗତ ସୋମବାର ଉକ୍ତ ନାବାଳକ କିଛି ସାଙ୍ଗଙ୍କ ସହ ଖେଳୁଥିଲେ। ଏହାପରେ ସେ ଏକ ପାରା ପଛରେ ଗୋଡ଼ାଇ ଗୋଡ଼ାଇ ପାଣି ଟାଙ୍କିର ସିଡ଼ି ଦେଇ ପୂରା ଉପରକୁ ପଳାଇଥିଲେ। ଏହି ସମୟରେ ତାଙ୍କର ଅନ୍ୟ ସାଙ୍ଗମାନେ ସେଠାରୁ ପଳାଇଥିଲେ। ଏହାପରେ ପାଣି ଟାଙ୍କିରେ ଘୋଡ଼ଣି ନ  ଥିବାରୁ ସିଡ଼ି ଦେଇ ସେ ଭିତରକୁ ଚାଲି ଯାଇଥିଲେ। ହେଲେ ସେଠାରୁ ଆଉ ସେ ବାହାରି ପାରି ନ ଥିଲେ। ଫଳରେ ସେ ପାଣି ଟାଙ୍କି ଭିତରେ ଫସି ଯାଇଥିଲେ।

ଗତକାଲି ଟାଙ୍କି ଭିତରୁ ଶଦ୍ଦ ଶୁଣି ସ୍ଥାନୀୟ ଲୋକ ରେଳ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ରେଲେୱେ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ସୌଭାଗ୍ୟବଶତଃ ପାଣି ଟାଙ୍କିରେ ଅଳ୍ପ ପାଣି ଭର୍ତ୍ତି ହେଉଥିବାରୁ ନାବାଳକ ଜଣଙ୍କ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

ନାବାଳକଙ୍କ ନିଖୋଜ ନେଇ ପରିବାର ଲୋକଙ୍କ ପକ୍ଷରୁ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା।
You might also like