ଦୈନିକ ଖବରକାଗଜ ସର୍କୁଲେସନ୍‌ କର୍ମଚାରୀଙ୍କୁ ରାତି ଅଧରେ ନିର୍ମମ ହତ୍ୟା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଏକ ଦୈନିକ ଖବରକାଗଜର ସର୍କୁଲେସନ୍‌ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ।

ସୂଚନା ଅନୁସାରେ, ୨୬ ତାରିଖ ଅଫିସ୍ ଛୁଟି ଥିବାରୁ ପ୍ରତାପ କୌଣସି କାମରେ ସମ୍ବଲପୁର ଯାଇଥିଲେ। ସେଠାରୁ ସେ ସୋନପୁର ଯାଇ ଗତକାଲି ରାତିରେ ବଲାଙ୍ଗିର ଫେରିଥିଲେ। ସେ ବସ୍‌ଷ୍ଟାଣ୍ଡରୁ ଅଫିସ୍‌କୁ ଯାଉଥିବା ବେଳେ ରେଲୱେ ଷ୍ଟେସନ୍‌ ରୋଡ୍‌ରେ କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତ କିଛିମାସ ହେବ ପ୍ରତାପ ଉକ୍ତ ଦୈନିକ ଖବରକାଗଜର ସର୍କୁଲେସନ୍‌ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।

ଅନ୍ୟପଟେ, ପୁଲିସ୍‌ ମୃତଦେହକୁ ଜବତ କରିବା ସହ  ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ ଟଙ୍କା ଲୁଟ୍‌ ପାଇଁ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିବା କୁହାଯାଉଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like