କର୍ଫ୍ୟୁ କଟକଣା ମାନୁନି ଦାନବ ଭୋକ : ଶୂନଶାନ ରାତିରେ ଅଇଁଠା ଖଲି ଚାଟୁଛନ୍ତି ଅସହାୟ ବୃଦ୍ଧ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୁହଁ ନୁହେଁ ଆଖି କଥା କହୁଛି । କର୍ଫ୍ୟୁରେ ଦାଉ ଦାଉ ଜାଳୁଛି ପେଟର ଭୋକ । ସଂକ୍ରମଣ ଭୟ ଭିତରେ ନିତିଦିନିଆ ଅତିଥି ପାଲଟିଛି ଭୋକ । ପେଟର ଭୋକ ଅହରହ ଜାଳୁଛି ମଣିଷକୁ, ଶାନ୍ତିରେ ରଖେଇ ଦେଉନି । ମଣିଷ ସମାଜକୁ ବଞ୍ଚାଇବା ପାଇଁ ସରକାର ସିନା କଟକଣା କଡ଼ାକଡ଼ି କରିଦେଲେ, ହେଲେ ଗରିବଙ୍କୁ କ୍ଷଣ କ୍ଷଣ ଜାଳୁଛି ଭୋକର ଜ୍ୱାଳା । ଅଦୃଶ୍ୟ ଶତ୍ରୁ ଆଗରେ ଭୋକକୁ ବରଦାସ୍ତ କରିହେଉନି । ରାତିର ଘନ ଅନ୍ଧାରରେ ବେଶି ବେଶି ଜାଳୁଛି  ଭୋକ ।  ଆଉ ଭୋକ ମେଣ୍ଟାଇବା ପାଇଁ ଅଇଁଠା ପତ୍ର ଚାଟୁଛନ୍ତି ଅସହାୟ ବୃଦ୍ଧ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଦଶପଲ୍ଲା ବ୍ଲକ ନିକଟରେ l

ଗରିବଙ୍କ ଦାନା ଛଡ଼ାଇ ନେଇଛି କରୋନା । କେତେବେଳେ କିଏ ତଳେ ପଡ଼ିଥିବା ତରକାରୀ ଗୋଟାଇ ଖାଇଲାଣି ତ ଆଉ କିଏ ଅଇଁଠା ପତ୍ର ଅଣ୍ଡାଳୁଛି ।  ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁସାରେ ଏନଏସି ଓ ମ୍ୟୁନିସିପାଲିଟିରେ ରାତି ୯ଟା ରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କରଫୁ ଘୋଷଣା କରାଯାଇଛି l ଏ‍ବଂ କଟକଣା ପାଇଁ ରାସ୍ତାଘାଟ ଚାରିଆଡ଼ ଶୂନଶାନ୍ । ହେଲେ ଶୂନଶାନ ଗଳିରେ ବୋଲି ମାନୁନି ଭୋକ । ତାକୁ କଟକଣା ଜଣାନାହିଁ, ନା ସେ ଜାଣେ ସଂକ୍ରମଣ ଭୟ ।

ଗତକାଲି ବିଳମ୍ବିତ ରାତିର ଶୂନଶାନ ପହରରେ ଭୋକରେ ଏପରି ବିବଶ ଚିତ୍ର ଦେଖିବାକୁ ମିଳିଛି । କର୍ଫ୍ୟୁ ପାଇଁ ଦୋକାନ ବଜାର ବନ୍ଦ ଥିବାବେଳେ ନିଜର ଅନିଚ୍ଛା ସତ୍ତ୍ୱେ ବଜାର ଆଡ଼କୁ ଚାଲିଆସିଥିଲେ ଅସହାୟ ବୃଦ୍ଧ l ଏ‍ବଂ ସନ୍ଧ୍ୟାରେ ଲୋକେ ଚାଟ ଖାଇ ଫୋପାଡ଼ିଥିବା ପ୍ଲେଟ ଓ କାଗଜ ପ୍ଲେଟରେ ବଳକା ଥିବା କିଛି ଖାଇବା ଗୋଟାଇ ଖାଉଥିଲେ ।  ଆଉ ସେହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ବୃଦ୍ଧ ଜଣକ ଅଇଁଠା ପ୍ଲେଟରୁ ଚାଟ ଓ ମlଜା ବୋଲତ ଖୋଲି ରହିଯାଇଥିବା ଢ଼ୋକେ ଥଣ୍ଡା ପିଇ ପକାଉଛନ୍ତି  l ତାଙ୍କୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି, ଅନେକ ଦିନ ହେଲା ସେ କିଛି ଖାଇନାହାନ୍ତି । ୫୭ନମ୍ବର ଜାତୀୟ ରାଜପଥର କଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l

ତେବେ ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରଲ ହେବାପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ l ନୟାଗଡ ଜ଼ିଲ୍ଲାପାଳ ଡ଼. ପୁମା ଟୁଡୁ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସମ୍ପୃକ୍ତ ବୃଦ୍ଧଙ୍କୁ ଖୋଜି ତୁରନ୍ତ ତାଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଭୋକର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଥିଲା ମାଲକାନଗିରି ସଦର ମହକୁମା ଅଞ୍ଚଳରେ । ଜଣେ ଅସହାୟ ବୃଦ୍ଧା କିପରି ତଳେ ପଡିଥିବା ତରକାରୀକୁ ଗୋଟାଇ ଖାଉଥିଲେ ତାହାର ଭିଡିଓ ଭାଇରାଲ ହୋଇଥିଲା ।

 

You might also like