ଜଗତସିଂହପୁର: ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ରାଉତ ନୂଆଗାଁରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀଙ୍କ ନାଁ ମାମା ଦାସ। ସେ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜରେ ଯୁକ୍ତ ୨ର ଛାତ୍ରୀ ଥିଲେ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଛାତ୍ରୀଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ତେବେ ଘରେ ଏକୁଟିଆ ଥିବା ଛାତ୍ରୀ ଜଣକ ଏହି ନିଆଁରେ ପୋଡ଼ି ହୋଇ ଯାଇଥିଲେ ବୋଲି ଜଣାପଡ଼ିଛି। ସେପଟେ ଅଗ୍ନିକାଣ୍ଡରେ ଘରର ୨ ବଖରା ପୋଡ଼ି ପାଉଁଶ ହୋଇ ଯାଇଛି।
ଖବର ପାଇ ଘଟଣାସ୍ଥଳରେ ରଘୁନାଥପୁରରୁ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।
ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ଏହା ଘଟିଥିବା ସନ୍ଦେହ କରାଯାଉଛି।
ରଘୁନାଥପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।