କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାରାଦୀପ: ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷ  ପଢୁଥିଲେ।

ସୂଚନା ଅନୁଯାୟୀ, ଗତ ୨୪ ତାରିଖରେ କଲେଜ ଯିବା ବାଟରେ ଉକ୍ତ ଛାତ୍ରୀଙ୍କ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ।  ଏହି ସମୟରେ ଛାତ୍ରୀଙ୍କ ଚିତ୍କାର ଶୁଣି ପାଖ ଗାଁର ଲୋକମାନେ ଧାଇଁ ଆସି ଯୁବକଙ୍କୁ କାବୁ କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛି ।

ମାତ୍ର ସେଦିନର ଘଟଣା ଛାତ୍ରୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା। ସେବେଠାରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ଉକ୍ତ ଛାତ୍ରୀ ଲୋକଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପରେ ପୁଲିସ୍‌ ଅଭିଯୁକ୍ତ ବିରୋଧରେ ଆଉ ଏକ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଛି।

You might also like