ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ମାମଲା

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା।ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଦେଲେ ଏତଲା। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ହତ୍ୟାକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। 

ତେବେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି। ଗତକାଲି ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ।

ଦୁହେଁ ବାଇକରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ପଳାଇଥିଲେ ଦୁର୍ବୃତ୍ତ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଛି। କଟକରେ ଆଜି ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି।

ସେପଟେ, ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀଙ୍କ ହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଏନେଇ ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ, କୁଳମଣିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଶୁଣି ସେ ଦୁଃଖିତ ଓ ମର୍ମାହତ। ଘଟଣାରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବ ବୋଲି ମୋର ବିଶ୍ୱାସ ବୋଲି କହିଛନ୍ତି ଧର୍ମେନ୍ଦ୍ର ଏହାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେହିପରି କୁଳମଣିଙ୍କ ହତ୍ୟାକୁ ନେଇ ମର୍ମାହତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତ। ଏହାସହ କୁଳମଣିଙ୍କ ପରିବାରକୁ ଭଗବାନ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ଶ୍ରୀପଣ୍ଡା କହିଛନ୍ତି।

ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଅସହିଷ୍ଣୁ ରାଜନୀତି ବଢ଼ିବାରେ ଲାଗିଛି ଓ ସତ ଲୁଚାଇବାକୁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।

You might also like