ବିନା ବିଦ୍ୟୁତ୍ ସଂଯୋଗରେ ଚାଲିଲା ମୋଟର, କୂଅରୁ ଉଠିଲା ପାଣି

ବଲାଙ୍ଗିର: ତିଆରି ହୋଇଛି ବିଦ୍ୟୁତ୍ ବିହୀନ ଉଠା ଜଳସେଚନ ଯନ୍ତ୍ର। ଦୁଇଟି ପୁରୁଣା ସାଇକେଲ୍‌ ରିଙ୍ଗ୍, ପୁରୁଣା ଟୁଲୁ ପମ୍ପ, ତିନୋଟି କାଠ ଦଣ୍ଡ ଓ ପାଇପ୍, ଏତିକିରେ ଚାଲିଛି ଏହି ଯନ୍ତ୍ର। ନା ଖର୍ଚ୍ଚ ଅଧିକ ନା କୌଣସି ବିଜୁଳିର ଦରକାର ପଡ଼ୁଛି। ଗାଧୁଆ ପାଇଁ ହେଉ କି ପିଇବା ପାଇଁ, କୂଅରୁ ପାଣି ବାହାର କରିବାକୁ ବ୍ୟବହାର ହେଉଛି ଏହି ବିଦ୍ୟୁତ୍ ବିହୀନ ଉଠା ଜଳସେଚନ ଯନ୍ତ୍ର।

ଏହି ଯନ୍ତ୍ରଟିକୁ କେଉଁ ଇଞ୍ଜନିୟର୍‌ କି କେଉଁ ମେଧାବୀ ଛାତ୍ର ତିଆରି କରି ନାହାଁନ୍ତି। ଏହାକୁ ତିଆରି କରୁଛନ୍ତି ପେଷାରେ ବଢ଼େଇ ଥିବା ଶ୍ରୀବତ୍ସ ବଢ଼େଇ ନାମକ ଜଣେ ବ୍ୟକ୍ତି। ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଫଟକରା ଗାଁରେ ତାଙ୍କ ଘର। ନିଜ ବୃତ୍ତିଠୁ ସମୟ ବାହାର କରି ବୁଦ୍ଧି ଓ କୌଶଳ ବଳରେ ଏହି ଯନ୍ତ୍ରଟିକୁ ତିଆରି କରିଛନ୍ତି ଶ୍ରୀବତ୍ସ। ଯନ୍ତ୍ରଟିକୁ ଦେଖିବା ପାଇଁ ଶ୍ରୀବତ୍ସଙ୍କ ଘରେ ଏବେ ସାହିପଡ଼ିଶାଙ୍କ ଭିଡ଼ ଜମୁଛି।

ବୃତ୍ତିରେ ଜଣେ କାଠ ମିସ୍ତ୍ରୀ ଥିବା ଶ୍ରୀବତ୍ସ କାମରୁ ସମୟ ବାହାର କରି ନିଜ ବୁଦ୍ଧି ଓ କୌଶଳ ବଳରେ ଏହି ଯନ୍ତ୍ରଟିକୁ ତିଆରି କରିଛନ୍ତି। ବିନା ବିଜୁଳିରେ ପ୍ରାୟ ୨୫ରୁ ୩୦ ଫୁଟ୍ ଗଭୀର କୂଅରୁ ସାଇକିଲ୍ ଚକ ଘୂରାଇଲେ ପାଣି ଆପେ ଆପେ ଉପରକୁ ଉଠିଆସୁଛି।

ଗାଁରେ ବିଦ୍ୟୁତ ସମସ୍ୟା ଯୋଗୁ ବହୁ ସମୟ ପାଣି ଉଠାଇବାରେ ସମସ୍ୟା ହେଉଥିଲା। ଶେଷରେ ନିଜ ଉଦ୍ୟମରେ ଏଭଳି ବିଦ୍ୟୁତ୍ ବିହୀନ ଉଠା ଜଳସେଚନ ଯନ୍ତ୍ର ନିର୍ମାଣ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀବତ୍ସ।

କାଠରେ ଘରୋଇ ଉପକରଣ ତିଆରି କରି ଦୁଇ ପଇସା ରୋଜଗାର କରିନ୍ତି ଶ୍ରୀବତ୍ସ। ଏଥିରେ ଚଳିଥାଏ ତାଙ୍କର ତେଲ, ଲୁଣର ସଂସାର। ହେଲେ ଏହି ଯନ୍ତ୍ର ତିଆରି କରି ସ୍ଥାନୀୟ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀବତ୍ସ। ଏଥିସହ ଆଖପାଖ ଅଞ୍ଚଳରୁ ଏଭଳି ଯନ୍ତ୍ର ତିଆରି କରିବା ପାଇଁ ତାଙ୍କ ପାଖକୁ ଅନୁରୋଧ ମଧ୍ୟ ଆସିଛି।

ସରକାରୀ ସହାୟତା ମିଳିଲେ ଆହୁରି ଉନ୍ନତମାନର ଯନ୍ତ୍ର ତିଆରି କରିବା ସହିତ ଚାଷୀମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

You might also like