ଟ୍ରକ୍‌କୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର: ଟ୍ୱିନ୍‌ ସିଟି ସମେତ ସାରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି। ଘନ କୁହୁଡ଼ିର ଆସ୍ତରଣ ଏତେ ମାତ୍ରା ଅଧିକ ଥିଲା ଯେ ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉ ନ ଥିବା ଦେଖିବାକୁ ମିଳିଥିଲା।

ଅଘଟଣରୁ ବର୍ତ୍ତିବା ପାଇଁ ରାସ୍ତା କଡ଼ରେ ବହୁ ଭାରି ଯାନ ଅଟକି ରହିଥିବା ନଜର ଆସିଥିଲା। ଏହାସହ ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଲୋକେ ହଇରାଣ ହେଉଥିବା ବେଳେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅନ୍ୟପକ୍ଷରେ ଘନ କୁହୁଡ଼ି ଯୋଗୁ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଦ୍ରୀମା ଗାଁ ନିକଟରେ ଏକ କାର୍‌ ଏକ ମିନି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି। ଏଥିରେ କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ୬ ଜଣ ଯାତ୍ରୀଙ୍କୁ ନେଇ କାର୍‌ଟି ମୋହନାରୁ ବ୍ରହ୍ମପୁର ଯାଉଥିଲା। ଏହି ସମୟରେ ପାଦ୍ରୀମା ଗାଁ ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ମିନି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ କୁହୁଡ଼ି ଯୋଗୁ ରାସ୍ତା କିଛି ଦିଶୁ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like