ବକେୟା ଟଙ୍କା ମାଗିବାରୁ ଗାଡ଼ି ମାଲିକଙ୍କୁ ପିଟିଲେ ବିଡିଓ !

ନୟାଗଡ଼: ପୁଣି ଆଉ ଜଣେ ବିଡିଓଙ୍କ ବିରୋଧରେ  ଦୁର୍ବବ୍ୟହାର ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓ ଜଣକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ଜଣେ ଗାଡ଼ି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓଙ୍କ ନାଁ ପ୍ରମୋଦ କୁମାର ଦଳବେହେରା। ସେ ନୂଆଗାଁ ବ୍ଲକ୍‌ର ବିଡିଓ।

ସୂଚନା ଅନୁସାରେ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ବ୍ଲକ୍‌ ଅଫିସରେ ଲଗାଇଥିଲେ। କିନ୍ତୁ ଦୀର୍ଘ ଦେଢ଼ ବର୍ଷ ଧରି ବ୍ଲକ୍‌ ପକ୍ଷରୁ ତାଙ୍କୁ ପାଉଣା ନ ମିଳିବାରୁ ସେ ବିଡ଼ିଓ ପ୍ରମୋଦ ଦଳବେହେରାଙ୍କ ନିକଟକୁ ଗୁହାରି କରିବାକୁ ଯାଇଥିଲେ। ହେଲେ ବିଡିଓ ଗୁହାରି ଶୁଣିବା ବଦଳରେ ପାଲଟା ଜିତେନ୍ଦ୍ରଙ୍କୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଏନେଇ ଜିତେନ୍ଦ୍ର, ବିଡ଼ିଓଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ବକେୟା ଟଙ୍କା ନ ମିଳିବା ଅଭିଯୋଗକୁ ବିଡିଓ ସ୍ୱୀକାର କରିବା ସହ ଆମ ଭିତରେ ଆପୋଷ ବୁଝାମଣା ହୋଇ ସମସ୍ୟାର ସମାଧାନ ହୋଇ ଯାଇଥିବା ବିଡିଓ କହିଛନ୍ତି।

ସୂଚନାଥାଉ କି, ଏହି ଘଟଣା ପୂର୍ବରୁ ଆଉ ୨ଜଣ ବିଡିଓଙ୍କ ବିରୋଧରେ ମଧ୍ୟ ଦୁର୍ବବ୍ୟହାର ଅଭିଯୋଗ ଆସିଛି। ଜଣେ ବିଡିଓ ପ୍ରବାସୀ ଓଡ଼ିଆଙ୍କୁ ଫୋନରେ ଦୁର୍ବ୍ୟବହାର କରିଥିବା ବେଳେ ଅନ୍ୟ ଜଣେ ବିଡିଓ ଗୁଜୁରାଟରୁ ଫେରିଥିବା କିଛି ପ୍ରବାସୀଙ୍କୁ ଗାଳି ଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

You might also like