୮ ମାସର ଝିଅକୁ ବାପାର ଠେଙ୍ଗାମାଡ଼; ଚାଲିଗଲା ଜୀବନ

ଆନନ୍ଦପୁର(ମୁନ୍ନା ସଂହ): ରାଗରେ ପତ୍ନୀକୁ ପିଟିବାକୁ ଠେଙ୍ଗା ଉଠାଇଥିଲେ ସନା, କିନ୍ତୁ ବାଜିଲା ୮ ମାସର କୁନି ଝିଅ ମୁଣ୍ଡରେ। ବାପାର ଠେଙ୍ଗା ମାଡ଼ରେ ୮ ମାସର ଝିଅର ମୃତ୍ୟୁ ହେଲା। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଦୁଇ ଭାଇଙ୍କ କଳିରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଘଷିପୁରା ଥାନା ସାଉଣ୍ଟିସାହିର ସନା ଦେହୁରୀ ପେଶାରେ ଜଣେ ଗାଡ଼ି ଚାଳକ। ଆଜି ସେ ନିଜର ବଡ଼ ଭାଇଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ସନାଙ୍କୁ ତାଙ୍କ ସ୍ତ୍ରୀ ଝୁମୁରୀ ଅଟକାଇବାକୁ ଚେଷ୍ଟା କରୁଥିଲେ। ତେବେ ରାଗରେ ଜର୍ଜରିତ ହେଉଥିବା ସନା ଉତ୍‌କ୍ଷିପ୍ତ ହୋଇ ଝୁମୁରୀକୁ ପିଟିବାକୁ ଠେଙ୍ଗା  ଉଠାଇ ଥିଲେ। ମାତ୍ର ଠେଙ୍ଗାଟି ଝୁମୁରୀଙ୍କ କାଖରେ ଥିବା ତାଙ୍କ ୮ ମାସର ଝିଅ ମୁଣ୍ଡରେ ବାଜିଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଘଷିପୁରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ କୁନି ଝିଅଟିର  ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ରାସ୍ତାରେ ଝିଅଟିର ମୃତ୍ୟୁ ଘଟିଥିଲା।
You might also like