ଝାରପଡ଼ା ଜେଲ୍‌ରେ ୯୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ ଦିନ ସଂକ୍ରମଣ ହାର ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି। ଲକଡାଉନ ସହ ସପ୍ତାହାନ୍ତ ସଟ୍‌ଡାଉନ ସଂକ୍ରମଣକୁ ରୋକିବାରେ ସଫଳ ହେଉନି। ଜେଲରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀମାନଙ୍କୁ ପାରୋଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି କ୍ରମରେ ଓଡ଼ିଶାର ୪୪୯ ଜଣ କଏଦୀଙ୍କୁ ସ୍ପେଶାଲ ପାରୋଲରେ ଛାଡିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ମେ’ ୧୫ ତାରିଖ ସୁଦ୍ଧା ୧୨୬ ଜଣଙ୍କୁ ମୁକ୍ତ କରାଯାଇଥିବା   ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଥିଲେ।

ଏହା ସତ୍ତ୍ୱେ ବି ଜେଲ୍‌ରେ କରୋନା ସଂକ୍ରମଣକୁ ରୋକାଯାଇ ପାରିନାହିଁ।  ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ  ୯୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି।  ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କଏଦୀ ଓ ଷ୍ଟାଫ୍ । ୧୯୫ ଜଣଙ୍କ ସାମ୍ପୁଲ ନେଇ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୬ ଜଣ ପଜିଟିଭ ବାହାରିଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେମାନଙ୍କୁ  ଆଇସୋଲେସନରେ ରଖାଯାଇଛି । ଜେଲ୍ ଡାକ୍ତର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ସୂଚନାଥାଉ କି, ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍‌ଜେଲରେ ଥିବା ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ମେ’ ୯ ତାରିଖ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୧୫ ତାରିଖ ଝାରସୁଗୁଡା ଉପ-କାରାଗାରର ୨୮୨ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ବାବ୍ ସଂଗ୍ରହ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୬୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।  ପଜିଟିଭ୍ ଆସିଥିବା ଅନ୍ତେବାସୀଙ୍କୁ ଦୁଇଟି ଓ୍ୱାର୍ଡରେ ଆଇସୋଲେସନରେ ରଖାଯାଇଥିବା ଜେଲର ସୂଚନା ଦେଇଥିଲେ।

ସେହିପରି ବ୍ରହ୍ମପୁର ଜେଲରେ ଥିବା ୯୨୭ ଜଣ ଅନ୍ତେବାସୀ ମଧ୍ୟରୁ ୮୪ ଜଣଙ୍କ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ କଏଦୀଙ୍କ ରିପୋର୍ଟ ପଜିଟିଭ ରହିଛି । ଏମାନଙ୍କୁ ଜେଲ ଭିତରେ ନୂତନ ଭାବେ ଖୋଲାଯାଇଥିବା ଶହେ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଥିଲା।

ସେତିକି ନୁହେଁ, ଏହା ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ହେଲେ ତ୍ରିପତି ମହାନ୍ତି।

ସୂଚନାଥାଉ କି, ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

You might also like