ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, ୨୪ ଘଣ୍ଟାରେ ବାହାରିଲେ ୯୫୦ କରୋନା ପଜିଟିଭ୍‌

  • ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ
  • ଖୋର୍ଦ୍ଧାରୁ କେବଳ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ
  • ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ
  • ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ
  • ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୭୩ରେ ପହଞ୍ଚିଛି। ଗଞ୍ଜାମ ଓ କଳାହାଣ୍ଡିରୁ ୨ ଜଣ ଲେଖାଏ, ବାଲେଶ୍ୱର, ବଲାଙ୍ଗିର, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୬୦୪ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୨,୬୧୧ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍‌-୩୯,୧୧୭ ଥିବାବେଳେ ୩,୫୩,୫୫୧ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ରାଜ୍ୟରେ ୬,୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ‌ରୁ ୩,୫୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୨,୫୮୯ ରହିଥିଲା। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୧,୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେପଟେ ପଶ୍ଚିମବଙ୍ଗରୁ ଯେକୌଣସି ବ୍ୟକ୍ତି ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ପଶ୍ଚିମବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି। ଏହାସହ ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ।

ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ। ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଞ୍ଜୀକରଣ ହେବ। ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତି କୋ ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ।

You might also like