ଅାଇନକୁ ଅଣଦେଖା କରୁଛନ୍ତି ଅାଇନ ପ୍ରଣେତା

ସଂପତ୍ତି ତାଲିକା ଦାଖଲ କରି ନାହାନ୍ତି ୯୦ ସାଂସଦ

ଭୁବନେଶ୍ୱର : ଅାଇନ ତିଅାରି କରୁଥିବା ଜନ ପ୍ରତିନିଧିଙ୍କର ଅାଇନ ପ୍ରତି ଅବଜ୍ଞା। ସମ୍ପତ୍ତି ତାଲିକା ଘୋଷଣା କରୁ ନାହାନ୍ତି ସାଂସଦ। ସୂଚନା ଅଧିକାର ଅାଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଷୋଡ଼ଶ ଲୋକସଭାରେ ୬୧ ଜଣ ସାଂସଦ ଏ ଯାଏଁ ବାଚସ୍ପତିଙ୍କ ନିକଟରେ ନିଜ ସଂପତ୍ତି ତାଲିକା ଦାଖଲ କରି ନାହାନ୍ତି। ସେହିଭଳି ରାଜ୍ୟସଭାର ବି ୨୯ ସାଂସଦଙ୍କର ନାଁ ରହିଛି ଏହି ଖିଲାପୀ ତାଲିକାରେ।

ଡିକ୍ଲାରେସନ ଅଫ୍ ଅାସେଟ୍ସ ଅାଣ୍ଡ୍ ଲ୍ୟାବିଲିଟିଜ୍ ରୁଲ୍‌ସ୍ ୨୦୦୪ ଅନୁସାରେ ସମ୍ପତ୍ତି ତାଲିକା ଦାଖଲ କରିନଥିବା ସାଂସଦଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ଜାତୀୟ ଓ ଅାଞ୍ଚଳିକ ଦଳର ପ୍ରତିନିଧି। ଯେଉଁମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ୬ ବିଜେଡି ସାଂସଦ। ଲୋକସଭା ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ, କଳିକେଶ ସିଂଦେଓ, ପ୍ରଭାସ କୁମାର ସିଂ ଓ ଅର୍କକେଶରୀ ଦେଓ ଏଯାଏଁ ସମ୍ପତ୍ତି ତାଲିକା ବାଚସ୍ପତିଙ୍କ ନିକଟରେ ରଖି ନାହାନ୍ତି । ତେବେ ଫୋନ୍ ଯୋଗେ କଳୀକେଶ କହିଛନ୍ତି ସେ ୮ ମାସ ତଳୁ ସଂପତ୍ତି ତାଲିକା ଦାଖଲ କରିସାରିଛନ୍ତି।

ଜନ ପ୍ରତିନିଧି ଅାଇନ- ୧୯୫୧ ଅନୁସାରେ ସାଂସଦମାନେ ଶପଥ ଗ୍ରହଣର ୯୦ ଦିନ ଭିତରେ ଘୋଷଣାନାମା ଜରିଅାରେ ସମ୍ପତ୍ତି ତାଲିକା ଦେବା ଅାବଶ୍ୟକ । ହେଲେ ଗତବର୍ଷ ମେ ମାସରୁ ରାଜ୍ୟସଭାକୁ ଯାଇଥିବା ପ୍ରତାପ ଦେବ ଓ ଗତ ମାର୍ଚ୍ଚରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ ବି ଏଯାଏଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ସମ୍ପତ୍ତି ତାଲିକା ଦାଖଲ କରିନାହାଁନ୍ତି।

ସଂପତ୍ତି ତାଲିକା ଦେଇନଥିବା ସାଂସଦଙ୍କ ମଧ୍ୟରେ ଜାତୀୟ ଦଳ କଂଗ୍ରେସ୍‌ରୁ ୧୫ ଜଣ ଓ ବିଜେପିର ୧୦ ଜଣଙ୍କ ନାଁ ରହିଛି।

You might also like