ନିୟମ ନମାନି ବନ୍ଧାହେଲେ ୯ଜଣ, ଏବେ କ୍ୱାରେଣ୍ଟାଇନ୍‌ରେ ରହିବେ

ଭଦ୍ରକ: ସକାଳ ଆରମ୍ଭ ହେବା ମାତ୍ରେ ହିଁ ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି। ବିନା କାରଣରେ ବାହରେ ବୁଲୁଥିବାରୁ ପୋଲିସ୍ ହାବୁଡରେ ଧରାପଡ଼ି ୯ ଜଣ ବନ୍ଧା ହେବା ସହ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସଟ୍‌ଡାଉନ୍‌ ହୋଇଥିବା ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ।

ଆଜି ନିୟମ ଖିଲାପ କରି ବାହାରକୁ ବାହାରିଥିବା ଏହି ସମସ୍ତଙ୍କୁ ଜିଲ୍ଲା ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ। ସହରର ପ୍ରମୁଖ ଛକ ସମେତ ଅପର୍ତ୍ତିବିନ୍ଧା, ଗେଲପୁର ଛକ, ବନ୍ତ ଛକ, ଚରମ୍ପା, ବାଇପାସରେ ଫୋର୍ସ ସଂଖ୍ୟା ବଢ଼ିଛି। ସହରର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯାଇଛି।

ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ଭଦ୍ରକରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ସଟ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ ନେଇ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏହାସହ ଭଦ୍ରକର ଏରେଁଇ ପଞ୍ଚାୟତଠୁ ଚରମ୍ପା ଅଞ୍ଚଳ ଯାଏ ସଟ୍‌ଡାଉନ୍‌କୁ ଲାଗୁ କରାଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଲକ୍‌ଡାଉନ୍ ନିୟମକୁ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ ହେବ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଡିଜିପି ଅଭୟ। ଏହି ସମୟରେ ବାହାରେ ବୁଲୁଥିବା ଲୋକଙ୍କୁ ଗିରଫ କରାଯିବା ସହ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ବି ପଠାଯିବ ବୋଲି ସେ କହିଛନ୍ତି।

You might also like