ସଚେତନତା ହିଁ କରୋନାର ପ୍ରତିଷେଧକ: ସୁସ୍ଥ ହେଲେଣି ୮୪,୩୦୭

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଭାଇରସ୍ ତଥା ‘କୋଭିଡ୍-୧୯’କୁ ନେଇ ଛାନିଆ  ନହେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେବଳ ସତର୍କତାମୂଳକ ପଦକ୍ଷେପ ନେଲେ ଏହି ମହାମାରୀକୁ ଏଡାଇ ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି।

ଭାରତରେ ଏହି ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ମୋଟ ୧୧୫ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେଥିରେ ଜଣେ ଓଡ଼ିଶାର ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଖୁସିର ବିଷୟ, ୧୩ ଜଣ ଲୋକ ଏହି ସଂକ୍ରମଣରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ବିଶ୍ୱରେ କରୋନା ସ୍ଥିତି କଣ ରହିଛି, ଆସନ୍ତୁ ଜାଣିବା।

ସୋମବାର କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ବିଶ୍ୱରେ ୧୫୭ ଦେଶକୁ କରୋନା ଭାଇରସ୍ ବ୍ୟାପିଲାଣି। ଏଥିରେ ୧ ଲକ୍ଷ ୭୦ହଜାର ୧୮୭ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ପୃଥିବୀରେ ୬୫୨୫ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୮୫,୮୮୦ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ସେ କହିଥିଲେ।

ସବୁଠାରୁ ବଡ଼ କଥା ହେଲା ୮୪,୩୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ବିଶ୍ୱରେ ଆକ୍ରାନ୍ତଙ୍କ ତୁଳନାରେ ପାଖାପାଖି ୫୦ପ୍ରତିଶତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ତେବେ କରୋନାକୁ ମୁକାବିଲା କରିବାକୁ ସତର୍କତା ଅବଲମ୍ବନ କରିବା ହିଁ ବଡ଼ ପ୍ରତିଷେଧକ। ଏପରି କ୍ଷେତ୍ରରେ ‘ଭୟ ନୁହେଁ, ପ୍ରକୃତରେ ସତର୍କତା ଆବଶ୍ୟକ’।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ମହାମାରୀ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ନିଜଠାରେ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ହସ୍ପିଟାଲ କିମ୍ୱା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ହେଲ୍ପ ଲାଇନ୍ ନମ୍ୱରରେ ଯୋଗାଯୋଗ କରିବାକୁ କୁହାଯାଇଛି।

You might also like