ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଏରିଆରେ PMAY ଘୋଟାଲା

ଭୁବନେଶ୍ୱର: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଆବାସ କେଳେଙ୍କାରୀର ଖବର ସାମ୍ନାକୁ ଆସିଛି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଆଜି ପୁଣି ତିନୋଟି ପଞ୍ଚାୟତର ଅନିୟମିତତା କଥା ଉଠାଇଛି ବିଜେପି। ଯମରା ପଞ୍ଚାୟତର ସମିତି ସଭ୍ୟ ତିତଲି ଜେନା ନାଁରେ ବି ଆବାସ ହଡ଼ପର ଅଭିଯୋଗ ଆସିଛି। ସ୍ୱାମୀଙ୍କ ସହ ଏକ ଚାଳଘରେ ରହୁଛନ୍ତି ବୋଲି କହିଛନ୍ତି ତିତଲି। ହେଲେ ପାଖରେ ରହିଛି ତାଙ୍କର କୋଠାଘର, ଆଗରେ ଥୁଆ ହୋଇଛି ଟ୍ରାକଟର। ତିତଲିଙ୍କ ସ୍ୱାମୀ ଗୌରାଙ୍ଗ କହିବା କଥା କୋଠା ଘରେ ତାଙ୍କ ବାପା ରହନ୍ତି। ଆଉ ସେ ବାପାଙ୍କ ପାଖରୁ ଅଲଗା ହୋଇଯାଇଛନ୍ତି।

 

ଆଉ ଏକ ପଞ୍ଚାୟତ ଦାଉଦପୁର ଘଟଣା ବି ସମାନ।  ଏଠାରେ ସମୁଦାୟ ପରିବାର ସଂଖ୍ୟା ୧୨୦୮। ଏସ୍ଇସିସି ତଥ୍ୟ ୨୦୧୧ ଅନୁସାରେ ପଞ୍ଚାୟତର ୭୬୮ ପରିବାର ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟା, କିନ୍ତୁ ୨୦୧୧ରୁ ୨୦୧୮ ଭିତରେ ୧୪୨୧  ପରିବାର ଘର ପାଇଛନ୍ତି।

ଏବେ ପୁଣି ୨୧୨ ଜଣଙ୍କୁ ଘର ଦେବାକୁ ଚିହ୍ନଟ ହୋଇଛି। ସେମିତି ଆଉ ଏକ ପଞ୍ଚାୟତ ହେଉଛି ମଉଦା। ଗତ ବର୍ଷ ଏଇଠି ୧୫ ପରିବାରର କୋଠା ଘର ଥିବାରୁ ଆବାସ ଯୋଜନାରୁ ବାଦ ଦେଇଥିଲା ପ୍ରଶାସନ। ହେଲେ ଏବେ କିନ୍ତୁ ଅଯୋଗ୍ୟଙ୍କୁ ପୁଣି ଯୋଗ୍ୟ କରି ଘର ଦେବାକୁ ଚିହ୍ନଟ କରାଯାଇଛି।

ଥିଲା ବାଲା ପକ୍କାଘର ହାତଉଥିବା ବେଳେ ପ୍ରକୃତ ହିତିଧିକାରୀଙ୍କୁ କିନ୍ତୁ ଘର ମିଳୁନି। ଖୋର୍ଦ୍ଧା ବେଗୁନିଆ ରାମଚନ୍ଦ୍ରପୁର ଗାଁର ଚରଣ ମହାରଣା କଥା ଜାଣନ୍ତୁ। ଚରଣଙ୍କ ନା ଚଢ଼ିଥିଲା ଆବାସ ଯୋଜନାର ହିତାଧିକାରୀ ତାଲିକାରେ। ହେଲେ କିଏ କାଟିଲା କେଜାଣି ଏବେ ଆଉ ତାଲିକାରେ ତାଙ୍କ ନାଁ ନାହିଁ। ସେମିତି କୁବେର ମଙ୍ଗରାଜଙ୍କ ବି ସମାନ ଅବସ୍ଥା। ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଂଚିତ ହୋଇଥିବାରୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

 

ଫନି ପ୍ରଭାବିତ ୧୪ ଜିଲ୍ଲାରେ ୧୨ ଲକ୍ଷ ୭୫ ହଜାର ଲୋକଙ୍କୁ ପକ୍କାଘର ଦେବାକୁ କେନ୍ଦ୍ର ପାଖକୁ ତାଲିକା ପଠାଇଛନ୍ତି ରାଜ୍ୟ ସରକାର। ତେବେ ବିଭିନ୍ନ ସ୍ଥାନରେ ହିତାଧିକାରୀ ଚୟନରେ ଗଡ଼ବଡ଼ ଏବେ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

You might also like