ମଦ ଦେବେ ବୋଲି କହି ଇଞ୍ଜିନିୟରଙ୍କଠୁ ଲୁଟି ନେଲେ ୮୦ହଜାର ଟଙ୍କା
ଭୁବନେଶ୍ୱର: ପୁଣି ମାତିଲେ ସାଇବର ଲୁଟେରା। ଅନଲାଇନ୍ରେ ମଦ ବୁକିଂ ବେଳେ ରାଜଧାନୀର ଜଣେ ସଫ୍ଟେୱେର୍ ଇଞ୍ଜିନିୟର ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି। ମଦ ବୁକିଂ ବେଳେ ସମ୍ପୃକ୍ତ ଇଞ୍ଜିନିୟର ପ୍ରାୟ ୮୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ସମ୍ପୃକ୍ତ ଇଞ୍ଜିନିୟର ଜଣକ ସୋସିଆଲ୍ ମିଡିଆରୁ ଏକ ମଦ ଦୋକାନ ନାଁରେ ଥିବା ବିଜ୍ଞାପନ ଦେଖି ଅନ୍ଲାଇନ୍ ଅର୍ଡର କରିଥିଲେ। ଅନ୍ଲାଇନ୍ରେ ମଦ ବୁକିଂ ପାଇଁ ସେଥିରେ ଦିଆଯାଇଥିବା ଫୋନ ପେ’ ଆକାଉଣ୍ଟକୁ ସେ ୯୮୦ ଟଙ୍କା ପଠାଇଥିଲେ। ହେଲେ ଟ୍ରାନଜାକ୍ସନ୍ ଫେଲ୍ ଜାଣିବା ପରେ ଫୋନରେ ଯୋଗାଯୋଗ କରିଥିଲେ ଇଞ୍ଜିନିୟର ଜଣକ। ରେଜିଷ୍ଟ୍ରେସନ ପାଇଁ ବିଳମ୍ବ ହୋଇଥିବା କହି ତାଙ୍କ ପାଖକୁ ଏକ QR କୋଡ୍ ପଠାଯାଇଥିଲା। ସେହି କୋଡ୍କୁ ସ୍କାନ କରିବା ପରେ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ପ୍ରଥମେ ୧୯ ହଜାର ଟଙ୍କା କଟି ଯାଇଥିଲା। ଏନେଇ ଇଞ୍ଜିନିୟର ଜଣକ ଜଣାଇବା ପରେ ଭୁଲ୍ରେ କଟିଯାଇଥିବା ଫେରସ୍ତ ହୋଇଯିବ କହି ଆଉ ଏକ ସ୍କାନିଂ ପାଇଁ କୋଡ୍ ପଠାଇଥିଲେ ସାଇବର ଲୁଟେରା। ସେଥିରେ ସ୍କାନ୍ କରିବା ପରେ ପୁଣି ଟଙ୍କା କଟି ଯାଇଥିଲା। ଏଭଳି ୪ଥରରେ ୭୯ ହଜାର ୧୮୧ ଟଙ୍କା କଟିଯାଇଥିବା ଠକାମିର ଶିକାର ହୋଇଥିବା ଯୁବକ ଜଣକ କହିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟ ଅନ୍ଲାଇନ୍ରେ ମଦ କିଣି ପ୍ରାୟ ୩୬ ହଜାର ଟଙ୍କାର ଠକାମିର ଶିକାର ହୋଇଥିଲେ ଭୁବନେଶ୍ୱରର ଜଣେ ବ୍ୟକ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ଏହି ଅଭିଯୋଗ ଆଣିଥିଲେ।