ଅଭିଶପ୍ତ ଶୈଶବ : କିଡନୀ ରୋଗରେ ଆକ୍ରାନ୍ତ ହୋଇ ନାହିଁନଥିବା ଯନ୍ତ୍ରଣା ଭୋଗୁଛି ୮ ବର୍ଷର କୁନି ପୁଅ

କୋଣାର୍କ(ସଞ୍ଜୟ ପତି) : ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ନିମାପଡାର ତୁଳସୀପୁର ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କିଡନୀ ରୋଗରେ ଆକ୍ରାନ୍ତ ଅମୀରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁର ଜଲିଲ ଖାଁ ଓ ସମି ବିବିଙ୍କ ୮ ବର୍ଷର କୁନି ପୁଅ ଅମୀର । ବାପା ମା ଗରିବ ହେଲେ ବି ହସ ଖୁସରେ କଟି ଯାଉଥିଲା ତେଲ ଲୁଣ ସଂସାର । ଛୋଟ ଛୋଟ ଭାଇ ଭଉଣୀଙ୍କ ସହ ହସଖୁସରେ ଦିନ କାଟୁଥିଲା ଅମୀର । ୩ବର୍ଷ ବୟସରେ ଆମୀରଙ୍କ ଶୈଶବକୁ ଯେମିତି ଢାଙ୍କି ଦେଲା କଳା ବାଦଲ । ହଠାତ ଅମୀରକୁ ଜ୍ଵର ହୋଇଥିଲା, ଆଉ ଚକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଚାରିଛକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସେଠାରେ ଚିକିତ୍ସା କରାଯାଇଥିଲା। ହେଲେ ଜ୍ଵର ଛାଡିଯିବା ପରେ ଅମୀରଙ୍କ ଦେହ ଫୁଲିବାକୁ ଲାଗିଲା । ଚିକିତ୍ସା ପାଇଁ ତାଙ୍କ ବାପା ମା କଟକ ସ୍ଥିତ ଶିଶୁଭବନକୁ ନେଇଥିଲେ । ସେଠାରେ ତାଙ୍କ କିଡନୀ ସଂକ୍ରମଣ ହୋଇଥିବା ଜଣାପଡିଲା । ଡାକ୍ତର ଆଶ୍ଵାସନା ଦେଲେ ଔଷଧ ଖାଇଲେ ଭଲ ହୋଇଯିବ ।

ହେଲେ ଏହା ମଧ୍ୟରେ ୫ବର୍ଷ ବିତିଗଲାଣି ସରକାରୀ ଡାକ୍ତରଖାନା ଠାରୁ ଆରମ୍ଭ କରି ବେସରକାରୀ ଡାକ୍ତରଖାନା ଚାରିଆଡ଼େ ଦଉଡ଼ି ଦଉଡ଼ି ଥକିଗଲେଣି ବାପାମା’ । ମାସିକ ୩ହଜାର ରୁ ୫ହଜାର ଟଙ୍କା ପର‌୍ୟ୍ୟନ୍ତ ଔଷଧ ଖାଉଥିଲେ ବି କିଛି ସଫଳ ମିଳୁନି । ଦିନମଜୁରିଆ ଭାବେ କାମ କରୁଥିବା ଅମୀରଙ୍କ ବାପା କେତେ ଦିନ ଏପରି ଔଷକ୍ଷ ଯୋଗାଇ ପାରିବେ ?

ଲକଡାଉନରେ କାମ ନପାଇ ଘରି ବସିଥିବା ବେଳେ ପୁଅର ଟେଷ୍ଟ ପାଇଁ ଆଉ ୫ ହଜାର ଯୋଗଡ଼ କରିବାକୁ କହିଛନ୍ତି ଡାକ୍ତର । କୁନି ପୁଅ ପାଇଁ ଜଲିଲଙ୍କ ପାଖରେ ଆଉ ଫୁଟି କଉଡ଼ିଟିଏ ନାହିଁ । ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସାହାଯ୍ୟ ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏପରି କ୍ଷେତ୍ରରେ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ପରିବାର ଲୋକ । ତେବେ ଅମୀରଙ୍କ ସମ୍ପର୍କରେ ଜାଣିବା ପରେ ତଦନ୍ତ କରି ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତହସିଲଦାର ।

You might also like