କରୋନା ଆକ୍ରାନ୍ତ ହେଲେ ୮ ବର୍ଷର ବାଳକ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ଅଛି। ବାଳକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି। 

ଆଜି ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି, ସେଥିରେ ଜଣେ ୮ ବର୍ଷର ବାଳକ ରହିଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ସେ ନିଜ ଘରେ ଥିଲେ । ବାହାରକୁ ଯାଇ ନ ଥିଲେ ହେଁ କିପରି କରୋନା ଆକ୍ରାନ୍ତ ହେଲେ ସେ ନେଇ ଚିନ୍ତା ବଢିଛି। ସେହି ବାଳକ ହେଉଛି ବାଣପୁର କୁମାରଙ୍ଗ ପଞ୍ଚାୟତ କେଶପୁରର ବୋଲି ଜଣାପଡ଼ିଛି।

ସୂଚନା ଥାଉ କି, ଆଜି ଚିହ୍ନଟ ହୋଇଥିବା ୬୫ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ଜଣ ଥିଲେ। ଖୋଦ୍ଧାରେ ଆକ୍ରାନ୍ତ ଅନ୍ୟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁରତ ଫେରନ୍ତା ଓ ଅନ୍ୟଜଣେ ନବୀନାବାଗ ଅଞ୍ଚଳର  ଓ ସେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବାଣପୁରର କେଶପୁର ଗାଁ ଓ ଖୋର୍ଦ୍ଧା ପୌରାଞ୍ଚଳକୁ କଣ୍ଟେନ୍‌ମେର୍ଟ ଭାବେ ଘୋଷଣା କରାଯାଇଛି । ଏହା ସହିତ କେଶପୁର ଗାଁରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ
ହୋଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ।

ସୂଚନାଥାଉ କି, ଆଜି ଚିହ୍ନଟ ହୋଇଥିବା ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫୬୮ ଜଣ ଚିକିତ୍ସାଧୀନ ଥିବାବେଳେ ୧୬୬ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

You might also like