କାର୍‌ ଡ୍ରାଇଭରଙ୍କ ବୁଦ୍ଧି ଯୋଗୁ ଧରାପଡ଼ିଲେ ୮ ଡକାୟତ

ବୌଦ୍ଧ: କାର୍ ଅପହରଣ ଉଦ୍ୟମ ଘଟଣାରେ ବୌଦ୍ଧ ପୋଲିସକୁ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ଘଟଣାରେ ଗିରଫ ହୋଇଥିବା ୮ ଜଣ ଡକାୟତ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ଏମାନଙ୍କ ନିକଟରୁ ଗୋଟିଏ ମାଉଜର୍, କାତି ଜବତ କରିଛି ପୋଲିସ

କେବଳ ଏହି ୮ ଜଣ ନୁହଁନ୍ତି,  ଏମାନଙ୍କ ଗ୍ୟାଙ୍ଗର ଆହୁରି ଅନେକ ସଦସ୍ୟ ବୌଦ୍ଧ ଓ ଆଖପାଖ ଅଞ୍ଚଳରେ ବୁଲୁଥିବା ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି। କାର୍ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଗତକାଲି ବୌଦ୍ଧ ପୋଲିସ ଏହି ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ଏହି ଅପରାଧୀମାନେ ଭୁବନେଶ୍ୱରର ଜଣେ କାର ଡ୍ରାଇଭରଙ୍କୁ ବାହାଘରରେ ଯୋଗ ଦେବାକୁ କହି ଗାଡି ଭଡାସୂତ୍ରରେ ନେଇଥିଲେ। ହେଲେ ବଲାଙ୍ଗିରରେ କୌଣସି ବାହାଘରରେ ଯୋଗ ଦେଇ ନ ଥିଲେ। ସେମାନଙ୍କ ନିକଟରେ ମାରଣାସ୍ତ୍ର ଦେଖି ମନ୍ଦ ଉଦ୍ଦେଶ୍ୟ ବୁଝି ପାରିଥିଲେ ଡ୍ରାଇଭର। ଆଉ ଡକାୟତ ଗ୍ୟାଙ୍ଗର ଅନ୍ୟମନସ୍କତାର ସୁଯୋଗ ଦେଖି ନିଜ ମୋବାଇଲରୁ ମାଲିକଙ୍କୁ ଏନେଇ ମେସେଜ ଦେଇଥିଲେ । ମାଲିକ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ତାସହ ଗାଡିରେ ଜିପିଏସ୍ ଥିବାରୁ ଗାଡିର ଅବସ୍ଥିତି ପୋଲିସ ଜାଣିପାରିଥିଲା। ଚାରି ଛକଠାରେ ପୋଲିସ ଗାଡିକୁ ଅଟକାଇ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

 

You might also like