ରାତି ପାହିଲେ ଦେଶ ପାଳିବ ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ବର୍ଷାରେ ବି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। କାଲି ମହାତ୍ମାଗାନ୍ଧୀ ମାର୍ଗରୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପରେଡ୍ ସ୍ଥଳରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭେଲାନ୍ସରେ ପୂରା ମହାତ୍ମାଗାନ୍ଧୀ ମାର୍ଗ। ସୁରକ୍ଷା ପାଇଁ ଏଥର ନିୟୋଜିତ ହେଉଛନ୍ତି ୧୫୦ ଅଫିସର, ୩୦ ପ୍ଲାଟୁନ୍ ପୋର୍ସ। ନିଜେ ପୋଲିସ୍ କମିଶନର ଆଜି ପରେଡ୍ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିସହ ପରେଡ୍ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ବି କରାଯାଇଛି।

ସେପଟେ ମାଓ ହିଂସାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଘଞ୍ଚ ଜଙ୍ଗଲରେ ପ୍ରତିକୂଳ ପାଗ ଓ ପରିସ୍ଥିତିକୁ ଖାତିର ନକରି ଯବାନ୍‌ କରୁଛନ୍ତି ଜୋର୍ଦାର କମ୍ବିଂ। ଜିଲ୍ଲାର ଅନ୍ୟ ସ୍ପର୍ଶକାତର ଅଞ୍ଚଳର ସବୁ ପ୍ରବେଶ ପଥରେ ଚାଲିଛି କଡ଼ା ଯାଞ୍ଚ। ସେହିପରି କୋରାପୁଟ, ରାୟଗଡ଼ା, ମାଲ୍‌କାନଗିରି ଭଳି ମାଓପ୍ରବଣ ଜିଲ୍ଲାରେ ବି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୧୫ ତାରିଖକୁ କଳାଦିବସ ଭାବେ ପାଳନ ଲାଗି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିବାରୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ସୀମାଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ସକାଳ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ୧୮ଟି ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବାକି ଜିଲ୍ଲାରେ ଜିଲ୍ଲାପାଳ ଓ ଆର୍‌ଡିସି ଜାତୀୟ ପତାକା ଉତ୍ତୋଳନ କରିବେ।

You might also like