କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ଏମିତି ଅଭିଯୋଗ

ପାଟଣାଗଡ଼: କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଟିକେମଣି ତଅଲ।

ଟିକେମଣି ଛତିଶଗଡ଼ରେ ତାଙ୍କ ପୁଅ ପାଖରେ ରହୁଥିଲେ। ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ରଖାଯାଇଥିଲା। ତାଙ୍କ ଶରୀର ଅସୁସ୍ଥ ଥିଲା। କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳେ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଟିକେମଣିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପାଟଣାଗଡ଼ ଏସଡିଏମଓ ଓ ଉପଖଣ୍ଡ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାବୁଝି କରିଥିଲେ। ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଟିକେମଣିଙ୍କ ପରିବାର ଲୋକଙ୍କୁ ଦେବା ପରେ ଉତ୍ତେଜନା ଥମିଥିଲା।

ସୂଚନାଯୋଗ୍ୟ, ଟିକେମଣିଙ୍କର ସେପ୍ଟିସେମିଆ ରୋଗରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

You might also like