ଆଉ ୭ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଆକ୍ରାନ୍ତ ୭ ଜଣଙ୍କ ମଧ୍ୟରୁ ୩ ଜଣ ଭଦ୍ରକ ଓ ୪ଜଣ ସୁନ୍ଦରଗଡ ଜିଲ୍ଲାର। ଏଡାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।  ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଏଥିସହିତ  ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସୁନ୍ଦରଗଡ ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଜିଲ୍ଲାରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ୟା ୭ ରହିଛି।

ସୁନ୍ଦରଗଡରେ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ମହିଳା ଓ ୨ ପୁରୁଷ ଅଛନ୍ତି। ମହିଳାଙ୍କ ବୟସ ୫୫ ଓ ୩୫ ହୋଇଥିବାବେଳେ ପୁରୁଷଙ୍କ ବୟସ ୩୮ ଓ ୩୭ ବର୍ଷ ବୋଲି ଜଣାପଡ଼ିଛି।

ତେବେ ଭଦ୍ରକରେ ନୂଆ ୩ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁରରୁ ୨ ଜଣ ଓ ବନ୍ତ ବ୍ଲକରୁ ଜଣେ ପୁରୁଷ ଅଛନ୍ତି । ଏମାନଙ୍କର ବୟସ ୪୫, ୨୮ ଓ ୨୯ ବର୍ଷ। ଏମାନଙ୍କର  କୋଲକାତା ଲିଙ୍କ ରହିଛି।  ପୂର୍ବରୁ ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର, ଧାମନଗର ଓ ତିହିଡ଼ି ବ୍ଲକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ବନ୍ତ ବ୍ଲକରୁ ଚିହ୍ନଟ ହେଲେ।

ଗତକାଲି ବାଲେଶ୍ୱରରୁ ୬, ଯାଜପୁରରୁ ଜଣେ ଏବଂ କୋରାପୁଟ ଜିଲ୍ଲାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ତେବେ ଏହି ୭ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କ’ଣ ଏବଂ ଏମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହୋଇଥିଲେ। ଆଜିର ୫ ଜଣଙ୍କୁ ମିଶାଇ ୨୪ ଘଣ୍ଟାରେ ୧୩ କରୋନା ପଜିଟିଭ ଚିହ୍ନଟ ହେଲାଣି।

 

 

You might also like