ଜେଲ୍‌ରୁ ଚମ୍ପଟ ମାରିବାକୁ ୭ ଡକାୟତଙ୍କୁ ଉସୁକାଉଥିଲା ପୁଞ୍ଜିଲାଲ୍‌!

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର୍ ମାଇଣ୍ଡ ପୁଞ୍ଜିଲାଲ୍‌ ମେହେର ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପାଟଣାଗଡ଼ ଜେଲ୍‌ରେ ଥିବା ପୁଞ୍ଜିଲାଲ ୭ ଜଣ ଡକାୟତଙ୍କୁ ଜେଲ୍‌ରୁ ଚମ୍ପଟ ମାରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏବେ ପାଟଣାଗଡ଼ ଜେଲ୍‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଜି ସକାଳେ ଡକାୟତମାନେ ଜେଲ୍‌ରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ତେବେ ଏହି ସମୟରେ ଡକାୟତଙ୍କ ସହ ଜେଲ କର୍ମଚାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଏପରିକି ଡକାୟତଙ୍କୁ କାବୁ କରିବା ପାଇଁ ଜେଲ୍ କର୍ମଚାରୀ ଆଲାର୍ମ ବଜାଇଥିଲେ।

ମିଳିଥିବା ସୂଚନା ମୁତାବକ ଏହି ସମସ୍ତ ଡକାୟତଙ୍କୁ ପୁଞ୍ଜିଲାଲ୍ ଉସୁକାଇଥିଲା। ଗତକିଛି ଦିନ ଧରି ପାଟଣାଗଡ଼ ଜେଲ୍‌ରୁ ଅନ୍ୟତ୍ରକୁ ସ୍ଥାନାନ୍ତର ପାଇଁ ପୁଞ୍ଜିଲାଲ୍ ଚାହୁଁଥିଲା। ସେଥିପାଇଁ ଡକାୟତଙ୍କ ସହ ମିଶି ଏପରି କରିଥିବା ସନ୍ଦେହ କରାଯାଉଛି।

ସେପଟେ ଘଟଣାକୁ ନେଇ ପାଟଣାଗଡ଼ ଜେଲ୍ ଅଧୀକ୍ଷକଙ୍କୁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ରିପୋର୍ଟ ମାଗିଛନ୍ତି। ପୁଞ୍ଜିଲାଲ୍‌କୁ ସ୍ଥାନାନ୍ତରଣ କରାଯିବ କି ସୁରକ୍ଷା ବଢ଼ାଯିବ ସେ ନେଇ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି।

You might also like