ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ, ପଛପଟୁ ଧକ୍କା ଦେଲା ଟ୍ରକ୍‌

ଜଳେଶ୍ୱର: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍‌। ବସ୍‌କୁ ପଛପଟୁ ଏକ ଟ୍ରକ୍‌‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବସ୍‌ଟି ପ୍ରବାସୀଙ୍କୁ ଧରି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ଯାଉ ଥିବାବେଳେ ଦଣ୍ଡିକା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବସ୍‌କୁ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ସାମ୍ନାରେ ଯାଉଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ବସ୍‌ରେ ୪୦ ଜଣ ପ୍ରବାସୀ ଥିଲେ।

ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲା।

ସୂଚନାଥାଉ କି, ଗତକାଲି ପ୍ରବାସୀଙ୍କୁ ଧରି ଯାଉଥିବା ଏକ ବସ୍ ପୋଲ ତଳକୁ ଖସି ପଡ଼ିଥିଲା।ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର-ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

You might also like