ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତେବେ ସେ କେବେ ଦିଲ୍ଲୀରୁ ଫେରିଲେ ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ମଧ୍ୟ ଜଣାପଡ଼ି ନାହିଁ। ନିଜାମୁଦ୍ଦିନ ସହ ତାଙ୍କର ସମ୍ପର୍କ ଅଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି ସ୍ୱାସ୍ଥ୍ୟ ବିଭାଗ।

ଅନ୍ୟପକ୍ଷରେ, ଓଡ଼ିଶାର ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପ୍ରିଲ ୧ ତାରିଖ ଦ୍ୱିତୀୟ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଏମ୍ସ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ସେହିପରି ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଆଜି କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା।

You might also like