୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ: ରାଜରାସ୍ତାରେ ରାଜୁତି କରୁଛି ନୀରବତା

ଭୁବନେଶ୍ୱର: ଯାଜପୁରରୁ ଭଦ୍ରକ ହେଉ କିମ୍ବା ଭଦ୍ରକରୁ ବାଲେଶ୍ୱର। ରାଜରାସ୍ତାରେ ରାଜୁତି କରିଛି ନୀରବତା। ରାଜ୍ୟରେ କରୋନାର କରିଡର ସାଜିଥିବା ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନର ପ୍ରଥମ ଦିନର ଦୃଶ୍ୟ ଥିଲେ ପୂରା ଖାଁ ଖାଁ।

ଯାଜପୁର ଜିଲ୍ଲା ବାରବାଟୀର ପ୍ରମୁଖ ପରିବା ମଣ୍ଡି। ଯେଉଁଠି ଗ୍ରାହକ ଆଉ ବ୍ୟବସାୟୀଙ୍କ ଭିଡ଼ ଜମେ, ତାହା ଜନଶୂନ୍ୟ ହୋଇ ପଡ଼ିଛି। ଆଉ ଭଦ୍ରକ-ଯାଜପୁର ସୀମାନ୍ତ ଷଠିପୁର ପୋଲିସ ପହରା ଭିତରେ ରହିଛି। ଆନ୍ଧ୍ର ଇଛାପୁରମ୍‌ରୁ ଉତ୍ତରପ୍ରଦେଶର ଆଗ୍ରାକୁ ଚାଲି ଚାଲି ଯିବାବେଳେ ଏଠାରେ ଧରାପଡ଼ିଥିଲେ ୨ ଜଣ। ଏମାନଙ୍କୁ ଧରି କ୍ୱାରେଣ୍ଟିନ୍‌କୁ ପଠାଇଛି ପୋଲିସ।

ସେହିପରି ଭଦ୍ରକରୁ ବାଲେଶ୍ୱର ଦେଇ ବାରିପଦା ଅଭିମୁଖେ ଯାଉଥିବା କିଛି ଶ୍ରମିକଙ୍କୁ ପୋଲିସ ଧରିଛି। କେବଳ ଏତିକି ନୁହେଁ, ପୋଲିସ୍‌ ଅମାନିଆ ଅବୋଲକରାଙ୍କୁ କେଉଁଠି ଗୋଡ଼ାଇ ଗୋଡ଼ାଇ ପିଟିଛି ତ ଆଉ କେଉଁଠି ଧରି ନେଇ କ୍ୱାରେଣ୍ଟାଇନ୍‌ରେ ରଖିଛି।

ବାଲେଶ୍ୱର ସହରରେ ପୋଲିସ ଫ୍ଲାଗମାର୍ଚ୍ଚ କରି ନିଜ ଉପସ୍ଥିତି ଜାହିର କରିଥିବାବେଳେ ଆଉ କିଛି ସ୍ଥାନରେ ଘରୁ ନବାହାରିବାକୁ ମାଇକ୍‌ରେ ଆହ୍ୱାନ କରାଯାଇଛି।

୩ଟି ଜିଲ୍ଲାରେ ସଟ୍‌ଡାଉନ୍ ସମୟରେ କିଛି ସ୍ଥାନକୁ ଆଜି ବିଶୋଧିତ କରାଯାଇଛି। ବାଲେଶ୍ୱର ସହରକୁ ଅଗ୍ନିଶମ ବିଭାଗ ସମେତ ଘରୋଇ ସଂସ୍ଥା ପକ୍ଷରୁ ସାନିଟାଇଜ୍ କରାଯାଇଛି।

ତେବେ ସଂକ୍ରମଣ ଭୟ ଭିତରେ ସଟ୍‌ଡାଉନ୍ ସତ୍ତ୍ୱେ ଯୋଦ୍ଧା ସାଜି ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି ସଫେଇ କର୍ମଚାରୀ। ଏପଟେ ଭଦ୍ରକ ଜିଲ୍ଲାରେ ହଟସ୍ପଟ୍ ପାଲଟିଥିବା ବାସୁଦେବପୁର ବ୍ଲକର ବିଭିନ୍ନ ସ୍ଥାନରେ ଲୋକଙ୍କ ନମୁନା ସଂଗ୍ରହ ଜାରି ରହିଛି।

ବିଭିନ୍ନ ସ୍ଥାନରେ ଥିବା ନମୁନା ସଂଗ୍ରହ ସେଣ୍ଟରରେ ସ୍ୱାବ ନମୁନା ସଂଗ୍ରହକୁ ତ୍ୱରାନ୍ୱିତ କରାଯାଇଛି। ସେହିପରି ବାଲେଶ୍ୱର ସହରରେ ମଧ୍ୟ ସ୍ୱାବ ନମୁନା ସଂଗ୍ରହ କରାଯାଉଛି।

ସେପଟେ ଆଜି ୩ ଜିଲ୍ଲାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ୩ ସଚିବ। ଯାଜପୁର ଦାୟିତ୍ୱରେ ଥିବା ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା ସୀମାରେ ଯାଞ୍ଚ ବ୍ୟବସ୍ଥା, ପ୍ରସ୍ତାବିତ କୋଭିଡ୍ ହସ୍ପିଟାଲ୍ ଏବଂ କରୋନା ମୁକାବିଲା ଭିତ୍ତିଭୂମିର ତଦାରଖ କରିଛନ୍ତି।

ସେହିପରି ଗତ ରାତିରେ ବାଲେଶ୍ୱରରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ୍.କେ.ବଶିଷ୍ଠ ସମୀକ୍ଷା କରିଥିବାବେଳେ ଆଜି ଭଦ୍ରକରେ ଜିଲ୍ଲାପାଳଙ୍କ ସହ ଅବକାରୀ ପ୍ରମୁଖ ସଚିବ ଏସ୍.କେ.ଲୋହାନି ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଲୋଚନା କରିଛନ୍ତି।

ତାସହ ହଟସ୍ପଟ ବାସୁଦେବପୁର ବ୍ଲକକୁ ଯାଇ କଣ୍ଟେନମେଣ୍ଟ ଜୋନର ସ୍ଥିତି ପରଖିଛନ୍ତି।

ପ୍ରକାଶ ଥାଉକି, ଗତ ରାତି ୧୦ଟାରୁ ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ୬୦ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା ହୋଇଛି। ଏହା ରବିବାର ସକାଳ ୧୦ଟାରେ ଉଠିବ।

ଆହୁରି ପଢ଼ନ୍ତୁ

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

You might also like