ସାବଧାନ ! ଅନ୍ଲାଇନ୍ ପେମେଣ୍ଟରେ ଏମିତି ବି ଠକେଇ ହୁଏ
- ଛୁରୀ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
- ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା
- ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା
- ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି
- କ୍ୟାମ୍ପସ ଖୋଲୁ ଖୋଲୁ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ
- ଖରିଫ ଧାନ ସଂଗ୍ରହରେ ଅଚଳାବସ୍ଥା
- ସାବଧାନ ! ଅନ୍ଲାଇନ୍ ପେମେଣ୍ଟରେ ଏମିତି ବି ଠକେଇ ହୁଏ
ଛୁରୀ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ବାଲେଶ୍ୱର: ପୁଣି ଲଜ୍ଜା। ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ନିକଟ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକା ଜଣକ ଜଣେ ସମ୍ପର୍କୀୟ ଭାଇ ସହ ବଡ଼ଭଉଣୀ ଘରକୁ ଯାଉଥିଲା। ତେବେ ୨ ଅଚିହ୍ନା ଯୁବକ ଆସି ସଂପୃକ୍ତ ନାବାଳିକାଙ୍କୁ ଉଠାଇନେବା ସହ ପଞ୍ଚଲିଙ୍ଗେଶ୍ୱର ନିକଟରେ ଛୁରି ଦେଖାଇ ଗଣଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି।
ଏପରିକି ସଂପର୍କୀୟ ଭାଇକୁ ମାରପିଟ୍ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ୨ ଯୁବକଙ୍କ ବିରୋଧରେ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।
ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା। ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱରକୁ କୋଭିସିଲ୍ଡ ଟିକା ଆସିବ । ଏହି କନ୍ସାଇନ୍ମେଣ୍ଟରେ ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ ଆସିବାର ଅଛି।
ସୂଚନା ଅନୁସାରେ ଏହି ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ସେପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି। ଏହାର ତୃତୀୟ ଦିନରେ ଆଜି ୧୯୨ଟି ସେସନ ହେବାର ବ୍ୟବସ୍ଥା ହୋଇଛି।
ସେହିପରି ଆସନ୍ତାକାଲି ୯୨ ଟି ସେସନ, ୨୧ ତାରିଖରେ ୪୩୬ଟି ସେସନ,୨୨ରେ ୧୪୧ସେସନ୍, ୨୩ରେ ୧୭୮ ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ ଟିକାକରଣ ହେବ। ଏହିପରି ଭାବରେ ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଶେଷ ବୁଲେଟିନ ଅନୁସାରେ ଗତକାଲି ୨୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ କମ୍ ଥିଲା। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦ ଦଶମିକ ୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ ହୋଇଥିଲା। ସେପଟେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦେଖା ଯାଇପାରେ ବୋଲି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ମୟୂରଭଂଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ ବୋଲି କୁହାଯାଇଛି। ଘନ କୁହୁଡ଼ି ଯୋଗୁଁ ହୁଏତ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହୋଇନପାରେ। ତେଣୁ ଦୁର୍ଘଟଣାର ଆଶଙ୍କା ଅଛି। ଏଥିପାଇଁ ସତର୍କ ରହିବାକୁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ଦୁଇ ଦିନ ତାପମାତ୍ରା କିଛି ବଢ଼ିବା ପରେ ପୁଣି ଜୋର୍ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ଅନ୍ୟପଟେ ଟିଟିଲାଗଡ଼ରେ ହାଡ଼ଭଙ୍ଗା ଶୀତ ସକାଳୁ ଘନ କୁହୁଡ଼ିରେ ଆଛାଦିତ ହୋଇଛି ସହର। ଏତେ କୁହୁଡ଼ି ଯେ, ରାସ୍ତାଘାଟ ମଧ୍ୟ ଠିକ ଭାବରେ ଦିଶୁ ନାହିଁ। ଶୀତରୁ ରକ୍ଷା ପାଇବା ପାଇଁ କିଏ ଗରମ ପୋଷାକ ପିନ୍ଧୁଛି ତ କିଏ ନିଆଁ ଜାଳି ଶୀତ ଦାଉରୁ ନିଜକୁ ରକ୍ଷା କରୁଛି। ଘନ କୁହୁଡ଼ି ଓ ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।
କ୍ୟାମ୍ପସ ଖୋଲୁ ଖୋଲୁ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ
ଭୁବନେଶ୍ୱର: କ୍ୟାମ୍ପସ ଖୋଲୁ ଖୋଲୁ ବାଣୀବିହାରରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମୁହାଁମୁହିଁହୋଇଥିବା ସୂଚନା ମିଳିଛି। କ୍ୟାଣ୍ଟିନ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ଉପରେ ପାଲଟା ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ। ଏହାପରେ ଗୋଟିଏ ଗୋଷ୍ଠୀ ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ। ଘଟଣା ପରେ ପିଜି କାଉନ୍ସିଲ୍ ଚେୟାରମ୍ୟାନ୍ ହଷ୍ଟେଲ୍ ସାମ୍ନାକୁ ଆସି ଧାରଣାରତ ଅନ୍ତେବାସୀଙ୍କୁ ବୁଝାସୁଝା କରିଥିଲେ। ଛାତ୍ର ଅଶାନ୍ତି ପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କୋଭିଡ୍ କଟକଣା ପରେ ବନ୍ଦ ଥିବା ବିଶ୍ୱବିଦ୍ୟାଳୟ ଗତ ୧୧ ତାରିଖରେ ଖୋଲିଥିଲା।
ଖରିଫ ଧାନ ସଂଗ୍ରହରେ ଅଚଳାବସ୍ଥା
ବରଗଡ଼: ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳାବସ୍ଥା ଦେଖାଦେଇଛି। ଏହି ଧାନ ସଂଗ୍ରହକୁ ୨ ମାସ ବିତିଯାଇଥିଲେ ମଧ୍ୟ ଏବେ ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡରେ ହଜାର ହଜାର ବସ୍ତା ଧାନ ବିକ୍ରି ହୋଇନପାରି ଖୋଲା ଆକାଶ ତଳେ ପଡ଼ି ରହିଛି। ଦିନ ଦିନ ଧରି ଶୀତ କାକରରେ ଚାଷୀମାନେ ଧାନକୁ ଜଗି ରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନ ସରକଣ୍ଡା ମାର୍କେଟ ୟାର୍ଡ।
ଏଠାରେ ୨୭ ହଜାରରୁ ଅଧିକ ଧାନ ବସ୍ତା ପଡ଼ି ରହିଛି। ବହୁ ଚାଷୀଙ୍କର ଟୋକନ୍ ସମୟ ସୀମା ସରିଯାଇଥିବା ବେଳେ ଅନେକଙ୍କର ଟୋକନ୍ ଥିଲେ ମଧ୍ୟ ୟାର୍ଡର ଟାର୍ଗେଟ ସରିଯାଇଥିବାରୁ ଧାନ ଉଠାଯାଉନାହିଁ।
ସାବଧାନ ! ଅନ୍ଲାଇନ୍ ପେମେଣ୍ଟରେ ଏମିତି ବି ଠକେଇ ହୁଏ
ରାଉରକେଲା: ରାଉରକେଲାରେ ଏକ ଲାଇଭ ଠକେଇର ଭିଡିଓ ସିସିଟିଭିରେ କଏଦ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ଶାଢ଼ୀ ଦୋକାନରୁ ଜିନିଷ କିଣି ଅନଲାଇନ୍ ପେମେଣ୍ଟର ଜାଲ ମେସେଜ୍ ଦେଖାଇ ଫେରାର ହୋଇଯାଇଛନ୍ତି। ରାଉରକେଲାର ଏଭଳି ଅଭିନବ ଠକେଇ ଘଟଣା ସାମ୍ନାକୁ ଆସିଛି।
ଖବର ଅନୁସାରେ, ଏହି ଦୁଇ ଅସାଧୁ ଯୁବକ ସ୍ଥାନୀୟ ଏକ ଶାଢ଼ି ଦୋକାନରୁ ୧୧ ହଜାର ୧୮୦ ଟଙ୍କାର ଜିନିଷ କିଣିଥିଲେ। ଏହାପରେ ସେମାନେ ଦୋକାନୀକୁ ୨ଶହ ଟଙ୍କା କ୍ୟାସ୍ ଦେଇ ବାକି ୧୧ହଜାର ଟଙ୍କା ଅନଲାଇନ୍ରେ ପ୍ରଦାନ କରିଥିବା ନେଇ ଜାଲ ମେସେଜ୍ ଦେଖାଇଥିଲେ। ଏହାପରେ ସେଠାରୁ ଫେରାର ହୋଇଯାଇଥିଲେ।
ଠକାମିର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଠକାମର ଶିକାର ହେବା ଜାଣି ଥାନାରେ ଏତଲା ଦେଇଛନ୍ତି ଦୋକାନୀ।