ବିରିୟାନୀକୁ ନେଇ ଟେକା ପଥର ମାଡ଼

ଭଦ୍ରକ: ବିରିୟାନୀକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ। ଉଭୟ ପକ୍ଷର ୬ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଜଗନ୍ନାଥ ସାହି ଗାଁର ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିଲା। ଗତକାଲି ସକାଳେ କିଛି ଯୁବକ ସେଠାରେ ପହଞ୍ଚି ବିରିୟାନୀ ଖାଇଥିଲେ ଓ ଏହା ବାସି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ସମାଧାନ ପାଇଁ ରାତିରେ ବୈଠକ ବସିଥିଲା। ହେଲେ ସମାଧାନ ବଦଳରେ ଏହି ଘଟଣା ଆହୁରି ଉଗ୍ର ରୂପ ଧାରଣ କରିଥିଲା।

ଉଭୟ ପକ୍ଷଙ୍କ ପକ୍ଷରୁ ଟେକା ପଥର ମାଡ଼ ସହ ବାଡ଼ିରେ ପିଟା ପିଟି ମଧ୍ୟ ହୋଇଥିଲେ। ଏଥିରେ ଉଭୟ ପକ୍ଷଙ୍କ ଘର ଦ୍ୱାର ଭାଙ୍ଗିବା ସହ ୫ଟି ମୋଟରସାଇକେଲ୍‌ ଭାଙ୍ଗି ଯାଇଛି। ଏହାସହ ୬ଜଣ ଗୁରୁତର ଆହତ ହୋଇଛନ୍ତି।

କେଉଁ କାରଣରୁ ଏଭଳି ଘଟଣା ଘଟିଲା, କେବଳ ବିରିୟାନୀ ଖାଇବାକୁ ନେଇ ନା ଉଭୟ ପକ୍ଷଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ଏ ନେଇ ଧୂଷୁରୀ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ

You might also like