ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ
ଭୁବନେଶ୍ୱର : ଶାରଦୀୟ ପୂଜାର ଆଜି ଅନ୍ତିମ ଦିନ। ବିଦାୟ ନେବେ ମା’। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଐତିହାସିକ ସହର କଟକ ଦେବିଗଡା ଘାଟରେ ନିର୍ମାଣ ହେଉଛି ଅସ୍ଥାୟୀ ପୋଖରୀ। ଏହାସହ ରାସ୍ତା, ଲାଇଟ୍ ବ୍ୟବସ୍ଥା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଦେବଗଡ଼ାରେ ସମୁଦାୟ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ବୁଧବାର ସକାଳେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂଜା କମିଟି ସଦସ୍ୟମାନେ ପଟୁଆରରେ ମାଆଙ୍କୁ ସାହି ପରିକ୍ରମା କରାଇବେ। ଏହାପରେ କଲେଜ ଛକ, ରାଣିହାଟ, ମଙ୍ଗଳାବାଗ, ବକ୍ସିବଜାର, ଦରଘାବଜାର ଓ ଚୌଧୁରୀ ବଜାର ହୋଇ ଦେବିଗଡ଼ା ଯିବେ। ମୂର୍ତ୍ତି ବିସର୍ଜନ ପରେ ସିଏମ୍ସି ଦ୍ୱାରା ନିୟୋଜିତ ସ୍ୱତନ୍ତ୍ର ଟିମ୍ ପୋଖରୀ ସଫା କରିବେ।
ସେପଟେ ଭସାଣ ଉତ୍ସବ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କଟକରେ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏହାସହ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୁଲିସ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମେଢ ଯିବା ରାସ୍ତାରେ ସିସିଟିଭି କ୍ୟାମେରା ଲାଗିବ। ଭସାଣ ସମୟରେ ଡିଜେ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହିବେ। ସେମାନଙ୍କ ସହ ପ୍ରଦୂଷଣ ବୋର୍ଡର ଜଣେ ଅଧିକାରୀ ମଧ୍ୟ ରହିବେ। ଭସାଣ ହେଉଥିବା ମୁଖ୍ୟରାସ୍ତାରେ ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ରହିବ। ଏହାସହ ଛିନ୍ତାଇ ଓ ନିଶାସକ୍ତଙ୍କ ଉପରେ କଡା ନଜର ରଖାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।