ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳେ ରାଜ୍ୟରେ ନୂଆ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି ଯାହା ପ୍ରଶାସନର ଚିନ୍ତା ବଢାଇ ଦେଇଛି।
ତେବେ ଏପରି ପରିସ୍ଥିତିରେ ,କ ଆଶ୍ୱସ୍ତିର ଖବର ମଧ୍ୟ ମିଳିଛି। ରାଜ୍ୟରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି। ଆଜି ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଗଂଜାମର ସର୍ବାଧିକ ୪୦ କରୋନା ରୋଗୀ ସୁସ୍ଥ ହୋଇଥିବାବେଳେ, ଜଗତସିଂହପୁର ୫, ମୟୂରଭଞ୍ଜର ୪, ଭୁବନେଶ୍ୱରର ୩ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରର ୨ ଜଣ ଓ ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ାର ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୭ ଆକ୍ରାନ୍ତ ସୁସ୍ଥ ହେଲେଣି।
ତେବେ ସବୁଠାରୁ ଆଶ୍ୱସ୍ତିର ଖବର, ୩ଜଣ ଆକ୍ରାନ୍ତ ଡିସ୍ଚାର୍ଜ ହେବାପରେ ଭୁବନେଶ୍ୱର ହୋଇଛି କରୋନା ମୁକ୍ତ ସହର। ସେହିପରି ଜଗତସିଂହପୁରର ୫ ଆକ୍ରାନ୍ତ ସୁସ୍ଥ ହେବା ପରେ ଜଗତସିଂହପୁର ମଧ୍ୟ କରୋନା ମୁକ୍ତ ଜିଲ୍ଲା ହୋଇପାରିଛି।
ସୂଚନା ଥାଉ କି, ଆଜି ଚିହ୍ନଟ ହୋଇଥିବା ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ କନ୍ଧମାଳରେ ପ୍ରବେଶ କରିଛି କରୋନା।