ପୁରୀରେ ଡରେଇଲା କରୋନା; ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ବାହାରିଲେ ପଜିଟିଭ

ପୁରୀ: ପୁରୀରେ ଅଣାୟତ୍ତ ହେଉଛି କରୋନା। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ  ମୋଟ ୫୦  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏମାନଙ୍କ ମଧ୍ୟରୁ ୨୨ ଜଣ ସେବାୟତ ଓ ତାଙ୍କ ପରିବାର ପଜିଟିଭ ଚିହ୍ନଟ ହୋଇଛନ୍ତି।  ଆଉ  ୧୯ ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ ଓ ୯ ଶ୍ରୀମନ୍ଦିର କର୍ମଚାରୀ ବୋଲି ସୂଚନା ମିଳିଛି।

ତେବେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କାରଣ କୁମ୍ଭ ମେଳାରୁ ପୁରୀକୁ ୧୭ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଛି। ୨ ଜଣଙ୍କର ନମୂନା ନେଗେଟିଭ ଆସିଥିବାବେଳେ ଆଉ ୧୩ ଜଣଙ୍କ ରିପୋର୍ଟ ଆସିନାହିଁ। ତେବେ ଆଉ ୨ ଜଣ ଏ ପର୍ଯ୍ୟନ୍ତ କୋଭିଡ ଟେଷ୍ଟ କରାଇ ନାହାନ୍ତି।

ଅନ୍ୟପକ୍ଷେ ଆଜିଠୁ ଶ୍ରୀମନ୍ଦିର ପାଇଁ ଲାଗୁ ହୋଇଛି ନୂଆ ଏସ୍ଓପି। କରୋନା ସଂକ୍ରମଣ ପ୍ରତିହତ ପାଇଁ ଆଜିଠୁ କଟକଣା ଭିତରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି। ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଯଦି, କେହି ବାହାର ଭକ୍ତ ନେଗେଟିଭ୍ ରିପୋର୍ଟ କିମ୍ବା କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇପାରିବେ ନାହିଁ,  ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବନି।

ତାସହ ନେଗେଟିଭ୍ ରିପୋର୍ଟ ୯୬ ଘଣ୍ଟା ପୂର୍ବରୁ ହୋଇଥିବା ଜରୁରୀ। ଏଥିପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ଖୋଲାଯିବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ସେଡ୍‌ରେ ପ୍ରବେଶ ପୂର୍ବରୁ ଏହି କିଓସ୍କରେ ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ଦେଖାଇବେ। ନଚେତ୍ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବନି ।

ସେହିପରି ଚଳିତ ସପ୍ତାହର ଶେଷ ଦୁଇ ଦିନ ଶନିବାର, ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ଭିତର କାଠ ପ୍ରବେଶ ନିଷେଧ କରାଯାଇ ଭକ୍ତଙ୍କୁ ବାହାର କାଠରୁ ଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି।

ସୂଚନାଥାଉ କି, ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଛି। ଆଜି ୪୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୨୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧୮୭୧। ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଆଜି ଏଠାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହପରି ପୁରୀରୁ ଆଜି ୨୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ପୁରୀ ଜିଲ୍ଲାରୁ ୧୪୨ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨,୭୦୩ ଥିବାବେଳେ ସୁସ୍ଥ ହୋଇ ଫରିଛନ୍ତି ୩,୪୬,୧୩୪ ଏବଂ ଆକ୍ଟିଭ କେସ ରହିଛି ୨୪,୫୬୮।

ଦେଶରେ ମଧ୍ୟ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୩ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯କୁ ବୃଦ୍ଧି ପାଇଛି। ଦେଶରେ ଦିନକରେ ୧୬୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା ୧, ୭୮, ୭୬୯କୁ ବୃଦ୍ଧି ପାଇଛି। ଆକ୍ଟିଭ  କେସ୍- ୧୯, ୨୯, ୩୨୯ ଥିବାବେଳେ ସୁସ୍ଥ ହୋଇଛନ୍ତି ୧, ୨୯, ୫୩, ୮୨୧। ଏଯାବତ ଦେଶରେ ୧୨, ୩୮, ୫୨, ୫୬୬ ଡୋଜ୍ ଟିକାକରଣ ହୋଇଛି।

ଅନ୍ୟପକ୍ଷେ ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଏମ୍‌ସି ପୂର୍ବ ରଣକୌଶଳ ଲାଗୁ। ଆଜିଠୁ  ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ୍ ହେବ ବୋଲି ଘୋଷଣା କରାଯାଇଛି।  ଡୁମୁଡୁମା, ପଟିଆ, ଡମଣା ମାର୍କେଟ, ୟୁନିଟ-୪, ୟୁନିଟ୍-୧, ୟୁନିଟ୍-୨ ମାର୍କେଟରେ ଏହି ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମ୍‌ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତାକାଲି କାର୍ଯ୍ୟକ୍ଷମ ହେବ ବ୍ଲୁ ହ୍ୱିଲ୍ କୋଭିଡ୍ ହସ୍ପିଟାଲ। ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।

 

You might also like